ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ସ୍ଥିତ ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ସଂସଦ ଭବନରେ ଆୟୋଜିତ ହୋଇଥିବା ଏହି ବୈଠକକୁ ଗୃହମନ୍ତ୍ରୀ ରାଜନାଥ ସିଂ ଡକାଇଛନ୍ତି । ଏହି ବୈଠକରେ ଯୋଗଦେବା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ।
ବୈଠକ ହେବା ପୂର୍ବରୁ ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଥିଲେ କି, ସମସ୍ତ ଦଳକୁ ପୁଲୱାମାରେ ହୋଇଥିବା ଆକ୍ରମଣ ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ବିଷୟରେ ଜଣାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ହୋଇଥିବା ମନ୍ତ୍ରୀମଣ୍ଡଳ ସୁରକ୍ଷା ମାମଲାର ସମିତି ବୈଠକରେ ସର୍ବଦଳୀୟ ବୈଠକ ଡକାଯିବାର ନିଷ୍ପତି ନିଆଯାଇଥିଲା ।
ଏହା ପୂର୍ବରୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ କି, ଏହି ମାମଲାକୁ ନେଇ ସମସ୍ତ ଦଳକୁ ସୂଚନା ଦେବା ପାଇଁ ଏକ ବୈଠକ ଡକାଯାଇଛି । ଯାହାଫଳରେ ସାରା ଦେଶ ଏହି ପ୍ରସଙ୍ଗକୁ ନେଇ ଗୋଟିଏ ସ୍ୱର ଉଠାଇବ । ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି ।