ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏସପିଜି ସୁରକ୍ଷା ହଟାଇ ଦିଆଯାଇଛି । ଏବେ ତାଙ୍କୁ କେବଳ ଜେଡ୍+ ସୁରକ୍ଷା ଦିଆଯିବ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି କି ସୁରକ୍ଷାକୁ ନେଇ ଏହି ନିଷ୍ପତି ସମ୍ପୂର୍ଣ୍ଣ ଭାବେ ପ୍ରଫେସନାଲ ଭାବେ ନିଆଯାଇଛି । ନିର୍ଦ୍ଧାରିତ ସମୟ ପରେ ସୁରକ୍ଷା ବ୍ୟବସ୍ଥାର ରିଭ୍ୟୁ କରାଯାଏ । ଏହା ସାମାନ୍ୟ ପ୍ରକ୍ରିୟା ଏବଂ ଏହା ଅନୁଯାୟୀ ସୁରକ୍ଷା କମାଇବା ଏବଂ ବଢାଇବା ଉପରେ ନିର୍ଣ୍ଣୟ ନିଆଯାଏ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂହଙ୍କୁ ଏବେ ଜେଡ+ ସୁରକ୍ଷା ଯୋଗାଇ ଦିଆଯିବ ।
ଦେଶରେ ଏବେ କେବଳ ଚାରି ଜଣଙ୍କ ପାଖରେ ଏସପିଜି ସୁରକ୍ଷା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏହି ସୁରକ୍ଷା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳୁଛି । ସାଧରଣତଃ ବିପଦ ଅଶାଙ୍କା ଏବଂ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଏସପିଜି ସୁରକ୍ଷା ଦେବାର ପ୍ରାବଧାନ ରହିଛି ।