ଭୁବନେଶ୍ୱର (ଏଟିଆର ବ୍ୟୁରୋ ); ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ । ସେ ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳରେ ଆୟୋଜିତ ହୋଇଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସଭାରେ ବିଜେପିର ବୁଥ ସ୍ତରୀୟ କର୍ମୀମାନେ ଯୋଗ ଦେବେ ଏବଂ ସେମାନେ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପାଇବେ ବୋଲି ଚର୍ଚ୍ଚା ହେଉଛି । ଭଦ୍ରକ ବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କର୍ମୀ ଯୋଗଦେବେ। ଅତିକମ୍ରେ ୨୫ ହଜାର କର୍ମୀଙ୍କୁ ସଭାକୁ ଆଣିବା ଲାଗି ଜିଲ୍ଲା ବିଜେପି ବ୍ୟବସ୍ଥା କରିଛି। ଆଇନଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।ରାଜନାଥଙ୍କ ପୂର୍ବରୁ ବିଜେପିର ବହୁ ହେବିୱେଟ ନେତା ଓଡିଶାକୁ ନିୟମିତ ଭାବରେ ଯିବା ଆସିବା ଲାଗି ରହିଛି ।
ନିକଟରେ ମୋଦି ତିନିଥର ଓଡିଶା ଗସ୍ତରେ ଆସିଥିବା ବେଳେ ଅଭିତ ଶହା ନିୟମିତ ଭାବରେ ଓଡିଶା ଆସୁଛନ୍ତି । ଅମିତ ଶାହା ଓଡିଶା ପାଇଁ ୧୨୦+ ଗଣିତ କଷିଛନ୍ତି । ଯାହାକୁ ସଫଳ କରିବା ପାଇଁ ବାରମ୍ବାର କେନ୍ଦ୍ରୀୟ ବିଜେପି ନେତାମନେ ଓଡିଶାରେ ଆସି ଡେରା ପକାଉଛନ୍ତିି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କେନ୍ଦ୍ରୀୟ ବିଜେପି ନେତାମାନେ ଓଡିଶା ଗସ୍ତରେ ଆସି ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ଯାହାକୁ ନେଇ ରାଜନୈତିକ ମହଲ ସବୁବେଳେ ସରଗରମ ରହୁଛି ।
ନିର୍ବାଚନ ଯେତିକି ପାଖେଇ ଆସୁଛି ଦିନକୁ ଦିନ ସେତିକି କେନ୍ଦ୍ରୀୟ ନେତାମାନେ ଓଡିଶାରେ ଆସି ଡେରା ପକାଉଛନ୍ତି । ସମସ୍ତଙ୍କ ନଜର ରହିଛି ଓଡିଶା ଉପରେ । ଏଣୁ ଫୋକସରେ ଥିବାରୁ ବାରମ୍ବାର ଓଡିଶା ଆସି ଭୋଟ ବ୍ୟାଙ୍କ ହାତେଇବା ପାଇଁ ବିଭିନ୍ନ ସଭାସମିତିର ଆୟୋଜନ ହେଉଛି । ସେପଟେ ବାରମ୍ବାର କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସୁଥିବାରୁ ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ରାଜନୀତିରେ ପ୍ରଭାବ ପଡିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଏହାକୁ କଣ୍ଡନ କରିଛି ଶାସକ ବିଜେଡି । ଆସନ୍ତା ନିର୍ବାଚନରେ ପୁନର୍ବାର ସରକାର ଆସିବ ବୋଲି ଦୃଢ଼ୋକ୍ତି ଦେଇଛି ।