ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଫିସ୍ ରୁ କାମ କରି ଘରକୁ ଫେରିବା ପରେ ମଧ୍ୟ ଅଫିସ୍ ଚିନ୍ତା ଲାଗି ରହିଥାଏ । ବେଳେ ବେଳେ ଜରୁରୀ ଫୋନ୍ କଲ କିମ୍ବା ଇମେଲ ମଧ୍ୟ ଆସିଥାଏ । ଯାହାକୁ ରିସିଭ୍ କରିବା ପାଇଁ ଆପଣ ବାଧ୍ୟ ହୋଇଥାନ୍ତି । କାରଣ ଆପଣଙ୍କ ମନରେ ଡର ଥାଏ କି ଏହି ଫୋନ୍ କଲ ନଉଠେଇବା ଦ୍ୱାରା ଆପଣଙ୍କ ଉପରେ ମାଲିକଙ୍କ କୋପ ଦୃଷ୍ଟି ପଡିପାରେ । ମାତ୍ର ଏବେ ଏହି ସମସ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ । ଖୁବ୍ ଶୀଘ୍ର କର୍ମଚାରୀ ମାନଙ୍କ ପାଇଁ ଏହି ସମସ୍ୟାର ସମାଧାନର ବାଟ ଫିଟି ଯାଇପାରେ । ଯଦି ପାର୍ଲ୍ୟାମେଣ୍ଟରେ ଏକ ବ୍ୟକ୍ତିଗତ ବିଲ୍ ପାସ୍ ହୋଇଯାଏ ତେବେ ଅଫିସ କାର୍ଯ୍ୟ ପରେ ଆପଣ ବି ମାଲିକଙ୍କ କଲ୍ ରିଜେକ୍ଟ କରିପାରିବେ ।
ଏନସିପି ବିଧାୟକ ସୁପ୍ରିୟା ସୁଲେ ଅଫିସ୍ କର୍ମଚାରୀଙ୍କ ପାଇଁ ଏକ ବ୍ୟକ୍ତିଗତ ସଦସ୍ୟ ବିଲ୍ ଆଗତ କରିଛନ୍ତି । ଯେଉଁଥିରେ କର୍ମଚାରୀମାନେ ଅଫିସରେ କାମ କରିବା ପରେ କିମ୍ବା ଛୁଟିଦିନମାନଙ୍କରେ ବି ଅଫିସର ଜରୁରୀ ଫୋନ୍ କଲକୁ ରିଜକ୍ଟ କରି ପାରିବେ । ଜଣେ ବିଧାୟକଙ୍କ ଦ୍ୱାରା ଏହି ବିଲକୁ ପାର୍ଲ୍ୟାମେଣ୍ଟରେ ଆଗତ କରାଯାଇଛି । ଯିଏ କାର୍ଯ୍ୟପାଳିକା ପକ୍ଷରୁ କୌଣସି କାମ କରୁ ନାହାନ୍ତି ।
ଏହି ବିଲ୍ କୁ ସଂସଦରେ ଆଗତ କରାଯାଇଛି ସତ, କିନ୍ତୁ କେତେ ଦୂର ଏହି ବିଲ୍ କୁ ନେଇ ଚର୍ଚ୍ଚା ହେବ ସେନେଇ କୌଣସି ସମ୍ଭାବନା ସୃଷ୍ଟି ହୋଇ ନାହିଁ । ସଂସଦରେ ଏପର୍ଯ୍ୟନ୍ତ ବହୁତ କମ ବ୍ୟକ୍ତିଗତ ବିଲ୍ କୁ ପାସ୍ କରାଯାଇଛି ।
ସୂଚନା ଯୋଗ୍ୟ, କେବଳ ଫ୍ରାନ୍ସର ଆଇନ ବ୍ୟବସ୍ଥା ଅନୁଯାୟୀ ଏହି ନିୟମ ଲାଗୁ କରାଯାଇଛି । କର୍ମଚାରୀ ମାନେ ଅଫିସ୍ ବାହାରେ ଯେକୌଣସି କର୍ମ ସମ୍ବନ୍ଧୀୟ ଜରୁରୀ କଲକୁ ରିଜେକ୍ଟ କରିପାରିବେ ସେନେଇ ଅନୁମତି ଦିଆଯାଇଛି ।