ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜି ସଂସଦରେ ୨୦୧୯-୨୦ ବଜେଟ ପାଇଁ ବସୁଛି ବୈଠକ । ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପହଞ୍ଚିଛନ୍ତି। ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଅଛନ୍ତି।
ଏଥର ଅର୍ଥମନ୍ତ୍ରୀଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ଖସି ଆସିଥିଲା। ଫଳରେ ଦ୍ରୁତତମ ଅଭିବୃଦ୍ଧି ହାସଲ ଦେଶ ମାନ୍ୟତାରେ ଭାରତ, ଚୀନଠାରୁ ପଛରେ ପଡିଯାଇଥିଲା। ସେ ଦୃଷ୍ଟିରୁ ଉତ୍ପାଦନ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିର୍ମଳାଙ୍କ ପ୍ରାଥମିକତା ହେବ।
ତେବେ ସୀତାରମଣଙ୍କ ପେଡ଼ିରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟକୁ ଭଲ ପ୍ୟାକେଜ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି । ବଜେଟ ପୂର୍ବରୁ ଗୁରୁବାର ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ବଜେଟର ଗୋଟିଏ ଦିନ ପୂର୍ବରୁ ଆର୍ଥିକ ସର୍ଭେକୁ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ।ଆର୍ଥିକ ସର୍ଭେ ରିପୋର୍ଟରେ ବର୍ଷ ୨୦୧୯-୨୦ ପାଇଁ ବାସ୍ତବିକ ଆର୍ଥିକ ବୃଦ୍ଧି ଦର ୭ ପ୍ରତିଶତ ରହିବା ପୂର୍ବାନୁମାନ କରାଯାଇଛି । ଏହି ରିପୋର୍ଟକୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍ ପ୍ରସ୍ତୁତ କରିଛନ୍ତି ।