ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହାତରେ ନମାରି ଭାତରେ ମାରିଲେ । ଆଜ୍ଞା ହଁ ପାକିସ୍ତାନର ନାଁ ଉଚ୍ଚାରଣ ନକରି ଅନେକ କଥା ଶୁଣାଇଛନ୍ତି ଭାରତ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି କେବଳ ଗୋଟେ ଦେଶକୁ ଛାଡିଦେଲେ ଭାରତ ସହ ସମସ୍ତ ପଡୋଶୀ ଦେଶର କ୍ଷେତ୍ରୀୟ ସହଯୋଗ ମାମଲାରେ ଭଲ ଇତିହାସ ରହିଛି ।
ନିଜ ପଡୋଶୀଙ୍କ ସହିତ ସମ୍ବନ୍ଧ ମଜବୁତ କରିବା ପାଇଁ ଭାରତର ଚେଷ୍ଟା ଉପରେ ଚର୍ଚ୍ଚା କରିବା ସହ ପାକ୍ ର ନାଁ ଉଚ୍ଚାରଣ ନକରି ଜୟଶଙ୍କର କହିଛନ୍ତି କି, ‘କେବଳ ଗୋଟେ ଦେଶକୁ ଛାଡି ଦେଲେ ସମସ୍ତ ପଡୋଶୀ ଦେଶର କ୍ଷେତ୍ରୀୟ ସହଯୋଗ ମାମଲାରେ ବହୁତ ଭଲ ଇତିହାସ ରହିଛି ।’
ସେ ଏକ ପ୍ରଶ୍ନର ଉତ୍ତରରେ ଆହୁରୀ ମଧ୍ୟ କହିଛନ୍ତି କି, ଆମେରିକା ସହିତ ବୈଠକରେ ଧାରା ୩୭୦ ହଟାଇବାର ପ୍ରସଙ୍ଗ ସାମ୍ନାକୁ ଆସିନାହିଁ । ସେ କହିଛନ୍ତି ଆପଣ ଗୋଟେ କ୍ଷଣ ପାଇଁ କାଶ୍ମୀରକୁ ଅଲଗା ରଖିଦିଅନ୍ତୁ । ଆଜିକା ଦିନରେ ସମସ୍ତଙ୍କ ସହିତ ବ୍ୟବସାୟିକ ସମ୍ପର୍କ ବଢୁଛି । ନିଶ୍ଚିତ ରୂପେ ଯେକୌଣସି ସ୍ତରରେ ଏହାର ପ୍ରଭାବ ପଡିବ କାରଣ ଆପଣ ପ୍ରତେକଙ୍କୁ ସେହି ସହଯୋଗ ରେ ସମୃଦ୍ଧ ହେଉଥିବାର ଦେଖିବାକୁ ପାଇବେ ।
ବିଶ୍ୱ ଆର୍ଥିକ ମଞ୍ଚର ଅଧ୍ୟକ୍ଷ ବୋରଗେ ବ୍ରେଂଡେଙ୍କ ସହ ଆଲୋଚନା କରି ଜୟଶଙ୍କର କହିଛନ୍ତି, ସ୍ଥିତି ବଦଳିବା କିଛି ଲୋକଙ୍କ ପାଇଁ ଏହା ସ୍ୱାଭାବିକ କଥା । ହୁଏତ କିଛି ବ୍ୟକ୍ତି ଅନୁଭବ କରିଥିଲେ କି ଧାରା ୩୭୦ ସମ୍ବିଧାନରେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଏବଂ ଏହି କାରଣ ଯୋଗୁଁ ଜାମ୍ମୁ-କାଶ୍ମୀର ରାଜ୍ୟରେ କୌଣସି ରାଷ୍ଟ୍ରୀୟ ଆଇନ ଲାଗୁ ହୋଇ ନଥିଲା । ସେମାନଙ୍କ ପାଇଁ ଏସବୁ ନୂତନ କଥା ଥିଲା ।