ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୧୯ ମହାସଂଗ୍ରାମ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣାପତ୍ର ଜାରି କରିଛନ୍ତି । ଜନ ଆୱାଜ ନାମରେ ଜାରି କରାଯାଇଥିବା ଘୋଷଣାପତ୍ରରେ ରାଜଦ୍ରୋହର ଧାରା ୧୨୪ଏ କୁ ହଟାଇବା ପାଇଁ ପ୍ରତିଶୃତି କରାଯାଇଛି । ଏଥିରେ କୁହାଯାଇଛି କି ଏହି ଆଇନ ପ୍ରାସଙ୍ଗିକତା ସମାପ୍ତ ହୋଇଯାଇଛି ଏବଂ ଏବେ ଏହାର ଆବଶ୍ୟକତା ଆଉ ନାହିଁ ।
ରାହୁଲ ଗାନ୍ଧୀ କହିଛନ୍ତି କି, ଏହି ଘୋଷଣାପତ୍ରକୁ ବନ୍ଦ ଦୁଆର ପଛ ପଟେ ନୁହେଁ ବରଂ ଜନତାଙ୍କ ପାଖକୁ ଯାଇ ପ୍ରସ୍ତୁତ କରାଯାଇଛି । ଯେଉଁଭଳି କଂଗ୍ରେସର ନିର୍ବାଚନୀ ଚିହ୍ନ ହାତରେ ପାଞ୍ଚୋଟି ଅଙ୍ଗୁଳି ରହିଛି, ଠିକ୍ ସେହି ଭଳି ଆମ ଘୋଷଣାପତ୍ରରେ ପାଞ୍ଚେଟି ବଡ କଥା ଉଲ୍ଲେଖ କରାଯାଇଛି । ଏହାସହିତ କୃଷକ ଏବଂ ରୋଜଗାର ଦେଶର ସବୁଠାରୁ ବଡ ପ୍ରସଙ୍ଗ ।
ଘୋଷଣା ପତ୍ରର ବଡ କଥା:
– ପ୍ରତିବର୍ଷ ୨୦ ପ୍ରତିଶତ ଗରିବଙ୍କୁ ନ୍ୟାୟ ଯୋଜନା ଅନୁଯାୟୀ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ ।
– ବର୍ଷ ୨୦୨୦ ମାର୍ଚ୍ଚ ମାସ ଭିତରେ ଖାଲି ପଡିଥିବା ସମସ୍ତ ପଦ ପୂରଣ କରାଯିବ ।
– ଲୋକସଭାରେ ନୂତନ ଆଇନ ଅଣାଯିବ ।
– ଯୁବପିଢୀଙ୍କୁ ରୋଜଗାର ମିଳିବ ।
– ମନରେଗାରେ ୧୦୦ ଦିନରୁ ବଢାଇ ୧୫୦ ଦିନ ରୋଜଗାର ଗାରେଣ୍ଟି ଦିଆଯିବ ।
– ୩ ବର୍ଷ ଯାଏଁ ନୂତନ କାରବାରର କୌଣସି ମଞ୍ଜୁରୀର ଆବଶ୍ୟକ ପଡିବ ନାହିଁ ।
– ଗ୍ରାମପଞ୍ଚାୟତରେ ୧୦ ଲକ୍ଷ ଚାକିରୀ ଦିଆଯିବ ।
– ଜିଡିପି ର ୬ ପ୍ରତିଶତ ଅଂଶ ଶିକ୍ଷା ପାଇଁ ଖର୍ଚ୍ଚ କରାଯିବ ।
– ଯଦି କୃଷକମାନେ ଋଣ ସୁଝି ପାରୁ ନାହାନ୍ତି ତେବେ ଅପରାଧିକ ମାମଲା ରୁଜୁ ହେବ ନାହିଁ ।