ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ନିଜ ସରକାର ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଖାରଜ କରିବା ସହ ରାହୁଲ ଏବେ ଛୋଟ ପିଲା ବୋଲି ସେ କହିଛନ୍ତି । ଗୋଟେପଟେ କଂଗ୍ରେସ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମକକ୍ଷ ରୂପେ ଛିଡା କରିବାକୁ ଚାହୁଁଥିବା ବେଳେ, ଅନ୍ୟପଟେ ମହାଗଠବନ୍ଧନରେ ସାମିଲ ହୋଇଥିବା ତୃଣମୃଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜି ରାହୁଲଙ୍କ ଉପରେ ଟିପ୍ପଣୀ କରି କିଛି ଭିନ୍ନ ସନ୍ଦେଶ ଦେବାକୁ ଚାହିଁଛନ୍ତି ।
ରାଜନୈତିକ ବିଶ୍ଳେଷଣ ଅନୁସାରେ , ମମତାଙ୍କ ବୟାନରୁ ସ୍ପଷ୍ଟ ହେଉଛି କି ମହାଗଠବନ୍ଧନର ବିଜୟ ହେବା ସ୍ଥିତିରେ ଟିଏମସି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ମାନୁନାହିଁ । ମମତା କହିଛନ୍ତି କି, ରାହୁଲ ଯାହା ଅନୁଭବ କରିଛନ୍ତି ତାହା ହିଁ କରିଛନ୍ତି । ମୁଁ ଏଥିରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନି । ସେ ଏବେ ଛୋଟ ପିଲା ଅଛନ୍ତି । ମୁଁ ଏହି ମମଲାରେ କ’ଣ କହିବି?
ନିର୍ବାଚନ ପୂର୍ବରୁ ରାହୁଲଙ୍କ ନ୍ୟୁନତମ ଆୟ ଘୋଷଣା ଉପରେ ମମତା କୌଣସି ଟିପ୍ପଣୀ ଦେବାକୁ ସିଧା ମନା କରିଦେଇଛନ୍ତି । ରାହୁଲଙ୍କ ନ୍ୟୁନତମ ଆୟର ପ୍ରତିଶୃତି ବିଷୟରେ ପଚରା ଯିବାରୁ ମମତା କହିଛନ୍ତି କି କଂଗ୍ରେସ ଏକ ଘୋଷଣା କରିଛି ଏବଂ ଏହା ଉପରେ ଟିପ୍ପଣୀ କରିବା ଆମ ପାଇଁ ଉଚିତ୍ ନୁହେଁ ।
ଗତ ସପ୍ତାହରେ ମାଳଦାରେ ଆୟୋଜିତ ହୋଇଥଇବା ଏକ ରାଲିରେ ରାହୁଲ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି ନିଜ ପ୍ରତିଶୃତିକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ପ୍ରମୁଖ ବିଫଳ ହୋଇଛନ୍ତି । ସେ ଆହୁରୀ ମଧ୍ୟ କହିଥିଲେ କି ପଶ୍ଚିମବଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ମମତାଙ୍କ କାର୍ଯ୍ୟକାଳରେ ରାଜ୍ୟରେ କୌଣସି ବିକାଶ ହୋଇ ନାହିଁ ।