ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଲାପ ପାଖୁଡାର ବର୍ଷା ଏବଂ ବ୍ୟାଣ୍ଡ ବାଜାର ଧ୍ୱନି ମଧ୍ୟରେ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚତୁର୍ଥ ଥର ପାଇଁ ଅମେଠୀରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାହୁଲଙ୍କ ନାମାଙ୍କନକୁ ନେଇ ସମର୍ଥକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଭରିବା ସମୟରେ ରାହୁଲଙ୍କ ସହିତ ତାଙ୍କ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ, ଭିଣୋଇ ରୋବର୍ଟ ଭଦ୍ରା, ଭଣଜା ରୋହନ ଏବଂ ଭାଣେଜି ମିରାୟା ସାଥୀରେ ରହିଥିଲେ ।
ସେପଟେ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ର ଭରିବାକୁ ନେଇ ସମର୍ଥକଙ୍କ ଭିଡ ଜମି ଥିବା ବେଳେ ଏହାର ଫାଇଦା ଲୁଟେରା ଗ୍ୟାଙ୍ଗ ଉଠାଇଛନ୍ତି । ଏହି ସମୟରେ ରାଜ୍ୟସଭା ସଦସ୍ୟ ଏବଂ ସୁଲତାନ ପୁରରୁ କଂଗ୍ରେସ ପ୍ରାର୍ଥୀ ଡାଃ ସଞ୍ଜୟ ସିଂହ, ଯୋଗେନ୍ଦ୍ର ଶ୍ରୀବାସ୍ତବ ଏବଂ ଅନ୍ୟ ଜଣେ ନେତାଙ୍କ ମୋବାଇଲ ଚୋରି ହୋଇ ଯାଇଛି । ଲୋକଙ୍କ ଭିଡ କମିବା ପରେ ଯାଇ ଏନେଇ ଜାଣିବାକୁ ମିଳିଥିଲା ।
ନାମାଙ୍କନ ସମୟରେ ଭିଡକୁ କମ କରିବା ପାଇଁ ପୁଲିସ ବ୍ୟାରିୟର, ପୋଲିସ ମାଜିଷ୍ଟ୍ରେଟଙ୍କ ବ୍ୟତିତ ଅନେକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ଯେତେବେଳେ ରାହୁଲ ଗାନ୍ଧୀଙ୍କ କାଫିଲା ଜାମୋ ମୋଡ ଠାରେ ପହଁଚିଲା ସେହି ସମୟରେ ଭିଡ ବ୍ୟାରିୟର ଭାଙ୍ଗି କ୍ଲେକ୍ରେଟ ଆଡକୁ ମାଡି ଯାଇଥିଲେ ।