ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବା ପରେ ‘ନୋଟା’ କୁ ବିରୋଧ କରି ଆରଏସଏସ ପ୍ରମୁଖ ମୋହନ ଭାଗବତ କହିଛନ୍ତି କି ଏହାକୁ ବ୍ୟବହାର କରିବା ଅପେକ୍ଷା ମତଦାତାଙ୍କୁ ଯେକୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବା ଉଚିତ୍ । ମହାରାଷ୍ଟ୍ରର ନାଗପୁର ସିଟ୍ ପାଇଁ ଭୋଟ ଦେବା ପରେ ମିଡିଆ ସହ ଆଲୋଚନ କରିବା ସମୟରେ ଭାଗବତ କହିଛନ୍ତି କି, ‘ମତଦାନ ଆମର କର୍ତ୍ତବ୍ୟ । ସମସ୍ତଙ୍କୁ ମତଦାନ କରିବା ଉଚିତ୍ ।’
ଏହି ସିଟ୍ ରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ କଂଗ୍ରେସର ନାନା ପଟେଲ ମଇଦାନକୁ ଓହ୍ଲାଇଛନ୍ତି । ଭାଗବତଙ୍କ ବ୍ୟତିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ମହାସଚିବ ଭ୍ୟାୟାଜୀ ଜୋଶୀ ବି ସକାଳ ପ୍ରାୟ ୬.୫୦ ସମୟରେ ମତଦାନ ଦେବା ପାଇଁ ସ୍ଥାନୀୟ ବୁଥ୍ ରେ ପହଁଚିଥିଲେ । ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ଭାଗବତ ଲୋକଙ୍କୁ ଅପିଲ କରିଛନ୍ତି ।
ଏନେଇ ଭାଗବତ କହିଛନ୍ତି, ‘ମତଦାନ ଆବଶ୍ୟକ ଏବଂ ସମସ୍ତଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ । ରାଷ୍ଟ୍ରୀୟ ସୁରକ୍ଷା ଏବଂ ବିକାଶ ପାଇଁ ମତଦାନ କରନ୍ତୁ । ଇଭିଏମ୍ ରେ ‘ନୋଟା’ ର ଉପସ୍ଥିତ ଦର୍ଶାଉଛି କି ପ୍ରତ୍ୟେକ ବ୍ୟକ୍ତି କ’ଣ ଚାହୁଁଛନ୍ତି । ଚୁପ୍ ରହିବା ଦ୍ୱାରା କିଛି ଲାଭ ହେବ ନାହିଁ, ଆପଣଙ୍କୁ ହଁ କିମ୍ବା ନା କହିବାକୁ ହେବ । ’
ସେପଟେ ଯୋଶୀ ବି ମତଦାନ ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶା କରୁଛି ନିର୍ବାଚନ ପରେ ସତ୍ତାକୁ ଆସିଥିବା ସରକାର ରାଷ୍ଟ୍ର ହିତ ପାଇଁ କାମ କରିବେ ।