ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଲୋକସଭା ନିର୍ବଚନର ଚତୁର୍ଥ ପର୍ଯ୍ୟାୟ । ଏହି ଅବସରରେ ଦେଶର ୭୨ ସିଟ୍ ରେ ଜାରି ରହିଛି ମତଦାନ । ଏହି ପର୍ଯ୍ୟାୟରେ ୧୨.୭୯ କୋଟି ମତଦାତା ସେମାନଙ୍କର ମତାଧିକାର ପ୍ରୟୋଗ କରିବେ । ମୁମ୍ବାଇର ୬ ସିଟ୍ ସମେତ ମହାରାଷ୍ଟ୍ରର ୧୭ ସିଟ୍ ରେ ମତଦାନ ଚାଲିଛି । ସେହିପରି ମଧ୍ୟପ୍ରଦେଶ ଏବଂ ଓଡିଶାରେ ୬-୬, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୧୩-୧୩, ବିହାରରେ ୫, ପଶ୍ଚିମବଙ୍ଗରେ ୮ ଏବଂ ଝାରଖଣ୍ଡରେ ୩ଟି ସିଟ୍ ରେ ମତଦାନ ଚାଲିଛି ।
ଲୋକସଭା ନିର୍ବାଚନ ସହିତ ମଧ୍ୟପ୍ରଦେଶର ଛିଣ୍ଡୱାଡା ବିଧାନସଭା ସିଟରେ ବି ଉପନିର୍ବାଚନ ଚାଲିଛି, ଯେଉଁଠି ମୁଖ୍ୟମନ୍ତ୍ରୀ କମଳନାଥ ବିଧାୟକ ହେବା ପାଇଁ ନିର୍ବାଚନ ଲଢୁଛନ୍ତି ।
ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସାମିଲ ଅଛନ୍ତି, ଯିଏ ପଶ୍ଚିମବଙ୍ଗର ଆସନସୋଲରେ ମୁନମୁନ ସେନକୁ ଟକ୍କର ଦେଉଛନ୍ତି । ସେହିପରି ବିହାରର ବେଗସୁରୟାରେ ଗିରିରାଜ ସିଂହ ମୁକାବିଲା ଜେନ୍ୟୁର ଛାତ୍ର ନେତା କହ୍ନେୟା କୁମାରଙ୍କ ସହ କରୁଛନ୍ତି । ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୁଣ୍ଡକର ଏବଂ ସାମଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ବି ନିର୍ବାଚନ ମଇଦାନରେ ଅଛନ୍ତି ।
ଏହାବ୍ୟତିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ପୁଅ ବୈଭବ ଗେହଲତ ଯୋଧପୁରରୁ , ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂ ଝାଲାବାଡ-ବାରାଂ ରୁ ଏବଂ କମଳନାଥଙ୍କ ପୁଅ ନକୁଳନାଥ ମଧ୍ୟପ୍ରଦେଶର ଛିଣ୍ଡୱାଡାରୁ ନିର୍ବାଚନ ଲଢୁଛନ୍ତି ।
ଚତୁର୍ଥ ପର୍ଯ୍ୟାୟରେ ମହାରାଷ୍ଟ୍ର ଏବଂ ଓଡିଶାର ସମସ୍ତ ସିଟ୍ ରେ ନିର୍ବାଚନ ସମାପ୍ତ ହୋଇଯିବ । ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଅପ୍ରିଲ ୧୧ରେ ଆରମ୍ଭ ହୋଇଥିଲା ଏବଂ ମେ’ ୧୯ ଶେଷ ହେବ । ଏହାସହିତ ମେ’ ୨୩ରେ ଏହାର ଫଳାଫଳ ଘୋଷଣା କରାଯିବ ।