ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁଣ୍ଡ ଉପରେ ଲୋକସଭା ନିର୍ବାଚନ ୨୦୧୯ । ଖାସ୍ ସେଥିପାଇଁ ତ ଖୁବ୍ ଜୋର୍ ସୋର୍ ରେ ଚାଲିଛି ପ୍ରଚାର । ବିଭିନ୍ନ ଦଳର ପକ୍ଷରୁ ହେବିୱେଟ ନେତାଙ୍କ ବ୍ୟାନର ଏବଂ ପୋଷ୍ଟର ଠା’ ଠାରେ ଲାଗିଥିବାର ଦେଖିବାକୁ ମିଳୁଛି । ଇତି ମଧ୍ୟରେ ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ପରେ ୟୁପି ରେ ବି ମହିଳାଙ୍କୁ ଘାରିଛି ମୋଦି ଏବଂ ପ୍ରିୟଙ୍କା ଶାଢୀ ର କ୍ରେଜ୍ ।
ରିପୋର୍ଟ ମୁତାବକ ଏହି ଡିଜାଇନର ଶାଢୀରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ମୁଦ୍ରାରେ ନଜର ଆସୁଛନ୍ତି । ସେହିପରି ଆଉ ଏକ ଶାଢୀରେ ସ୍ୱାର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ସହିତ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ଦେଖିବାକୁ ମିଳିଛି ।
ପ୍ରକୃତରେ ଏବେ କାନପୁରର ପ୍ରସିଦ୍ଧ କପଡା ବଜାରରେ ମୋଦି ଏବଂ ପ୍ରିୟଙ୍କାଙ୍କ ଚିତ୍ର ହୋଇଥିବା ଶାଢୀର ଟ୍ରେଣ୍ଡ ଚାଲିଛି । ମହିଳାମାନେ ମଧ୍ୟ ଏହି ଶାଢୀକୁ ଖୁବ୍ ପସନ୍ଦ କରୁଛନ୍ତି । ଖାସ୍ କଥା ହେଉଛି ମୋଦି ଚିତ୍ର ଥିବା ଶାଢୀରେ କେବଳ ମୋଦିଙ୍କ ଚିତ୍ର ନାହିଁ ବରଂ ପୁଲୱାମା ହମଲା ଏବଂ ଏୟାର ଷ୍ଟ୍ରାଇକର ଚିତ୍ର ମଧ୍ୟ ରହିଛି । ଯାହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧୀଙ୍କ ଚିତ୍ର ହୋଇଥିବା ଶାଢୀକୁ ମଧ୍ୟ ମହିଳାମାନେ ପସନ୍ଦ କରୁଛନ୍ତି ।
ଲୋକସଭା ନିର୍ବାଚନ ପୂର୍ବରୁ ବଜାରରେ ବିକ୍ରି ହେଉଥିବା ମୋଦି ଶାଢୀ ଏବଂ ପ୍ରିୟଙ୍କା ଶାଢୀ ଖୁବ୍ ଚର୍ଚ୍ଚାରେ ରହିଛି ।