ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଗତକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ ଫେରନ୍ତା ଆକଳନ ବା ଏକଜିଟ ପୋଲ ପ୍ରକାଶ ପାଇଛି । ଯେଉଁଥିରେ ଏନଡିଏକୁ ବହୁମତ ସମର୍ଥନ ମିଳିବ ବୋଲି ଆକଳନ କରାଯାଇଛି । ତେବେ ଖବର ପ୍ରସାରଣ ହେବା ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହା ଏନଡିଏ ନେତାମାନଙ୍କ ପାଇଁ ଏକ ରାତ୍ରି ଭୋଜନର ଆୟୋଜନ କରିଛନ୍ତି ।
ଆସନ୍ତାକାଲି ଏହି ରାତ୍ରି ଭୋଜନର ଆୟୋଜନ ହେଉଛି । ସୂତ୍ର ଅନୁଯାୟୀ ଶାହା ଲୋକସଭା ନିର୍ବାଚନର ଗୋଟିଏ ଦିନ ପରେ ଏନଡିଏ ନେତାଙ୍କୁ ରାତ୍ରି ଭୋଜନ ପାଇଁ ଡାକୁଥିବା ଖବର ପ୍ରକାଶ ପାଇବା ପରେ ରାଜନୀତି ଚର୍ଚ୍ଚା ଜୋର ଧରିଛି । ସୂଚନା ମିଳୁଛି କି ଏହି ଅବସରରେ ଏକ ଗୁରୁତ୍ୱପୂଣ୍ଣ ବୈଠକ ମଧ୍ୟ ହୋଇପାରେ । ତେବେ ଏହି ବୈଠକରେ କେଉଁ ସମ୍ପର୍କରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ ।
ଏକଜିଟ ପୋଲର ଫଳାଫଳରେ ଏନଡିଏ ଉତ୍ସାହିତ ହୋଇଛି । ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟରେ ବିଜେପିକୁ ୩୦୦ରୁ ଉଦ୍ଧ୍ୱ ଆସନ ମିଳିବ ବୋଲି ଆକଳନ କରାଯାଇଛି । ତେବେ ଏନଡିଏକୁ ଏହି ବଡ ସଫଳତା ମିଳିବା ଖବର ପ୍ରସାରଣ ହେବା ପରେ ଦିଲ୍ଲୀରୁ ପଲ୍ଲୀ ସବୁଠି ବିଜେପି କର୍ମୀମାନେ ଖୁସି ଜାହିର କରିଥିବା ମଧ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଆଲୋଚନା ହେଉଥିଲା କି କେନ୍ଦ୍ରରେ ଝୁଲା ସରକାର ହେବ । ଅପରପକ୍ଷରେ ବିରୋଧୀଙ୍କ ମହମେଣ୍ଟ ଏନଡିଏକୁ ହରଡଘଣାରେ ପକାଇବ । କିନ୍ତୁ ଏକଜିଟ ପୋଲ ରିପୋର୍ଟ ଆସିବା ପରେ ଏବେ ଟିକେ କୋହଳ ହୋଇଛି ଏନଡିଏ ।