ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) ବିପକ୍ଷରେ ସୋମବାର ବିହାରର ବିଧାନସଭା ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି ଆରଜେଡି ବିଧାୟକ । ଆରଜେଡି ପକ୍ଷରୁ କୁହାଯାଇଛି କି ବିହାରରେ ସିଏଏ ଏବଂ ଏନଆରସିକୁ ଲାଗୁ କରେଇ ଦେବୁ ନାହିଁ । ସେପଟେ ବିହାର ଏନଆରସି ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ପଷ୍ଟ କରିଛନ୍ତି ।
ଆରଜେଡି ପ୍ରବକ୍ତା ଏବଂ ବିରେନ୍ଦ୍ର ଯାଦବ ସମେତ ଅନ୍ୟ ବିଧାୟକ ମାନେ ମିଶି ବିଧାନସଭା ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସମସ୍ତଙ୍କ ହାତରେ ଏନଆରସି ଏବଂ ସିଏଏ ବିରୋଧରେ ଏକ ପୋଷ୍ଟର ରହିଛି । ସମ୍ବିଧାନକୁ ବିଜେପି ଶେଷ କରୁଛି ବୋଲି ସେମାନେ କହିଛନ୍ତି । ଏହାସହିତ ସେମାନେ ବିହାରରେ ସିଏଏ ଏବଂ ଏନଆରସିକୁ ଲାଗୁ କରେଇ ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି ।
ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭାରେ କହିଛନ୍ତି, ବିହାରରେ ଏନଆରସି ର ପ୍ରଶ୍ନ ହିଁ ଉଠୁ ନାହିଁ । ଏହା କେବଳ ଆସାମରେ ଚର୍ଚ୍ଚାରେ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦି ବି ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି ।