ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ପାଇଁ ୨୦ ଟି ରାଜ୍ୟରେ ୯୧ ସିଟ୍ ରେ ମତଦାନ ଆରମ୍ଭ ହୋଇଯାଇଛି । ମତଦାତାଙ୍କୁ ଜାଗୃତ କରିବା ପାଇଁ ଗୁଗଲ ପକ୍ଷରୁ ଡୁଡଲ ଯୋଗେ ନିର୍ବାଚନ ସନ୍ଦେଶ ଦିଆଯାଇଛି । ଗୁଗଲ ତାର ଡୁଡଲ ପ୍ରସ୍ତୁତ କରି ମତଦାନ କରିବା ପାଇଁ ଅପିଲ କରିଛି । ଏହା ସହିତ ଏଥିରେ ମତଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦିଆଯାଇଛି ।
ଭୋଟ ଦେବା ପରେ ମତଦାତାଙ୍କ ଅଙ୍ଗୁଳିରେ ନୀଳ କାଳି ଲଗାଇ ଦିଆଯାଇଥାଏ । ସାଧାରଣତଃ ମତଦାନ ପରେ ମତଦାନ ପରେ ଅଙ୍ଗୁଳିରେ ଲାଗିଥିବା କାଳିକୁ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ସାଧାରଣ ଜନତାଙ୍କ ଭାଗୀଦାରୀ ଭାବେ ଗ୍ରହଣ କରାଯାଇଥାଏ । ଆଜି ଗୁଗଲ ପକ୍ଷରୁ ବି ଲୋକତନ୍ତ୍ରର ସବୁଠାରୁ ବଡ ଉତ୍ସବକୁ ଡୁଡଲ ଦ୍ୱାରା ସମର୍ପିତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟ ମତଦାନରେ ଯେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମ୍ ମେସିନରେ କଏଦ ହୋଇଯିବ ସେମାନଙ୍କ ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ବିକି ସିଂହ, ନୀତିନ ଗଡକରୀ, ହଂସରାଜ ଅହୀର, କିରଣ ରିଜିଜୁ, କଂଗ୍ରେସର ରେଣୁକା ଚୌଧୁରୀ, ଏଆଇଏମଆଇଏମ ର ଅସଦଦୁଧୀନ ସାମିଲ ଅଛନ୍ତି ।
ଏହି ପର୍ଯ୍ୟାୟରେ ରାଲୋଦର ଅଜିତ୍ ସିଂହଙ୍କ ମୁକାବିଲା ଉତ୍ତରପ୍ରଦେଶ ମୁଜାଫର୍ ସିଟ୍ ରେ ବିଜେପିର ସଞ୍ଜିବ ବାଲୟାନଙ୍କ ସହ ରହିଛି । ମାତ୍ର ତାଙ୍କ ପୁଅ ଜୟନ୍ତ ଚୌଧୁରୀ ଭାଗପତ ସିଟ୍ ରୁ କେନ୍ଦ୍ରମନ୍ତ୍ରୀ ସତ୍ୟପାଳ ସିଂହଙ୍କୁ ଟକ୍କର ଦେଉଛନ୍ତି ।
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସହିତ ଆନ୍ଧ୍ର ପ୍ରଦେଶ, ସିକ୍କମ, ଅରୁଣାଚଳ ପ୍ରଦେଶରେ ବି ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ଲୋକସଭା ନିର୍ବାଚନର ପ୍ରଥମ ଚରଣରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ. ମେଘାଳୟ,ଉତ୍ତରାଖଣ୍ଡ,ମିଜୋରାମ,ନାଗାଲାଣ୍ଡ, ସିକ୍କିମ,ଲକ୍ଷଦୀପ, ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୁହ ତଥା ତେଲେଙ୍ଗାନାର ସମସ୍ତ ଲୋକସଭା ସିଟ୍ ରେ ମତଦାନ ଜାରି ରହିଛି ।