ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଟେ ନୁହେଁ ଏକାବେଳେ ଦୁଇ ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଉତ୍ତରପ୍ରଦେଶର ଅମେଠି ବ୍ୟତିତ ସେ କେରଳର ବି ପ୍ରାର୍ଥୀ ହେବେ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।
ପୂର୍ବତନ ରକ୍ଷାମନ୍ତ୍ରୀ ଏବଂ କଂଗ୍ରେସ ନେତା ଏକେ ଏଣ୍ଟନି କହିଛନ୍ତି କି, ଅମେଠୀ ବ୍ୟତିତ କେରଳର ବାୟନାଡ ଲୋକସଭା ସିଟ୍ ରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ । ଏହା ପୂର୍ବରୁ ସୋନିଆ ଗାନ୍ଧୀ ବି ଦୁଇଟି ସ୍ଥାନରୁ ନିର୍ବାଚନ ଲଢି ସାରିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ଦକ୍ଷିଣ ଭାରତ ଗସ୍ତରେ ଯାତ୍ରା କଲା ବେଳେ କଂଗ୍ରେସ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା କହିଛନ୍ତି କି , ଅମେଠି ରାହୁଲଙ୍କ କାର୍ଯ୍ୟକ୍ଷେତ୍ର ଏବଂ ଆଗକୁ ରହିବ ମଧ୍ୟ ବୋଲି ସେ ନିଜେ କହିଛନ୍ତି । କିନ୍ତୁ ଲଗାତର ଭାବେ ଦକ୍ଷିଣ ଭାରତରୁ ଆସୁଥିବା ଦାବି ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି ।
ସୁରଜୱାଲା କହିଛନ୍ତି କି , ଭୌଗୋଳିକ ଏଂବ ସାଂସ୍କୃତିକ ଦୃଷ୍ଟି କୋଣରୁ ବାୟନାଡ ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର । କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ଏହି ତିନି ରାଜ୍ୟ ପ୍ରାନ୍ତକୁ ଯୋଡୁଥିବା କ୍ଷେତ୍ର । ଏହି ତିନି ରାଜ୍ୟ ପ୍ରତି ବିଜେପିର ଦମନକାରୀ ନିତୀ ରହିଛି । ମାତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ତିନି ରାଜ୍ୟର ପ୍ରତିନିଧିତ୍ୱ କରି ପାରିବେ ।
ସୂଚନା ଯୋଗ୍ୟ, ଦକ୍ଷୀଣ ଭାରତର ଏହି ତିନି ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ରାହୁଲଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକର ପ୍ରଦେଶ କମିଟି ପକ୍ଷରୁ ଏକ ପ୍ରସ୍ତାବ ଜାରି କରାଯାଇ କୁହାଯାଇଥିଲା କି ରାହୁଲ ଗାନ୍ଧୀ ତାଙ୍କ ପ୍ରଦଶର ଯେକୌଣସି ସ୍ଥାନରୁ ନିର୍ବାଚନ ଲଢିପାରିବେ ।