ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅଧ୍ୟକ୍ଷତା କରିଥିଲେ । ଗତକାଲିର ବୈଠକରେ ଆଗାମୀ ପାଞ୍ଚବର୍ଷ ପାଇଁ ରୋଡ ମ୍ୟାପ ସ୍ଥିର ହୋଇଛି । ଏହି ଅବସରରେ ମୋଦି ନିଜ ଅନୁଭୂତିରୁ ମନ୍ତ୍ରୀମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ମୋଦି ନିଜ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ସେମାନେ ସକାଳ ସାଢେ ନ ଟା ଭିତରେ ନିଜ ଅଫିସରେ ପହଞ୍ଚିବାକୁ ।
ଅଫିସର ମାନଙ୍କ ସହିତ ମନ୍ତ୍ରୀମାନେ ଆସିବା ଦରକାର ବୋଲି ସେ ମତ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସଂସଦରେ ଅଧିବଶନ ସମୟରେ ସବୁବେଳେ ଉପସ୍ଥିତ ରହିବାକୁ । ଅଧିବେଶନ ବେଳେ ସେମାନେ ବାହାରକୁ ଯିବାକୁ ଯୋଜନା ନ କରିବାକୁ ସେ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହଭଳି ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ନୂତନ ମନ୍ତ୍ରୀ ମାନଙ୍କୁ ବରିଷ୍ଠ ମନ୍ତ୍ରୀମାନେ କାର୍ଯ୍ୟରେ ସହଯୋଗ କରିବାକୁ କହିଛନ୍ତି ।
ନିୟମିତ ବ୍ୟବଧାନରେ ନିଜ ମନ୍ତ୍ରଣାଳୟର କର୍ମଚାରୀଙ୍କ ସହିତ ଆଲୋଚନା କରିବା, ମନ୍ତ୍ରୀ ଓ ସାଂସଦ ମାନଙ୍କ ମଧ୍ୟରେ ଅଧିକ ପାର୍ଥକ୍ୟ ନଥିବାରୁ ମନ୍ତ୍ରୀମାନେ ସାଂସଦ ମାନଙ୍କୁ ଭେଟିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ମୋଦିଙ୍କ ଟିପ୍ସକୁ ମନ୍ତ୍ରୀମାନେ କେତେ ଗୁରୁତ୍ୱ ଦେଉଛନ୍ତି । କେତେ ଆଦରରେ ଗ୍ରହଣ କରୁଛନ୍ତି ।