ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ନିକଟରେ ନିଧନ ହୋଇଯାଇଛି । ମାତ୍ର ତାଙ୍କ ନିଧନ ପରେ ତାଙ୍କୁ ଶେଷ ଦର୍ଶନ କରିପାରିନଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଥିପାଇଁ ମୋଦି ବିଦେଶ ଗସ୍ତରୁ ଫେରିବା ପରେ ମଙ୍ଗଳବାର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରିବାର ସଦସ୍ୟଙ୍କ ସହିତ ସାକ୍ଷାତ କରିଛନ୍ତି । ସେଠାରେ ଜେଟଲୀଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।
ବିଦେଶରେ ଥିବା ଯୋଗୁଁ ଜେଟଲୀଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିପାରିନଥିଲେ ପ୍ରଧାନମନ୍ତ୍ରୀ ମୋଦି । ମାତ୍ର ସେ ବିଦେଶରୁ ଶନିବାର ଦିନ ଜେଟଲୀଙ୍କ ପତ୍ନୀ ଏବଂ ପୁଅ ସହିତ କଥା ହେବା ସହ ଶୋକ ପ୍ରକାଶ କରିଥିଲେ । ଏହାସହିତ ମୋଦିଙ୍କୁ ତାଙ୍କର ବିଦେଶ ଯାତ୍ରା ରଦ୍ଦ ନକରିବା ପାଇଁ ଜେଟଲୀଙ୍କ ପତ୍ନୀ ଏବଂ ପୁଅ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ଅରୁଣ ଜେଟଲୀଙ୍କୁ ମନେ ପକାଇ କହିଥିଲେ କି, ଯେଉଁ ବନ୍ଧୁଙ୍କ ସହିତ ଜୀବନର ଲମ୍ବା ଯାତ୍ରା ଆରମ୍ଭ କରିଥିଲି, ସେହି ବନ୍ଧୁ ଛାଡି ଚାଲି ଗଲେ । ଆଜି ମୁଁ ମୋ ଭିତରେ ଗଭୀର ଯନ୍ତ୍ରଣାକୁ ଚପାଇ ରଖିଛି । ପ୍ରଥମେ ଭଉଣୀ ସୁଷମା ଚାଲିଗଲେ , ଏବେ ପୁଣି ବନ୍ଧୁ ଅରୁଣ ଚାଲିଗଲେ । ମୁଁ କଳ୍ପନା କରିପାରୁନି କି ମୁଁ ବିଦେଶରେ ଅଛି ଆଉ ମୋ ବନ୍ଧୁ ଅରୁଣ ଏ ଦୁନିଆ ଛାଡି ଚାଲିଗଲେ ।