ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜଧାନୀ ସ୍ଥିତ ସଂସଦ ଲାଇବ୍ରେରୀ ଭବନରେ ମଙ୍ଗଳବାର ବିଜେପିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋନ୍ଧିତ କରି ସନ୍ଦେଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କି ସାଂସଦମାନେ ରାଜନୀତିରୁ ହଟି କାମ କରିବା ଉଚିତ୍ ।
ଦେଶରେ ଜଳ ସଂକଟ ରହିଛି ସେଥିପାଇଁ ସାଂସଦମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ନିଜ ଅଞ୍ଚଳର ଅଧିକାରୀଙ୍କ ସହ ବୈଠକ କରି ଜନତାଙ୍କ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ । ସଂସଦର କାର୍ଯ୍ୟବାହୀ ଅବସରରେ ସମସ୍ତ ସାଂସଦ ଏବଂ ମନ୍ତ୍ରୀ ଉପସ୍ଥିତ ରୁହନ୍ତୁ । ଯଦି କୌଣସି ମନ୍ତ୍ରୀ ଉପସ୍ଥିତ ନରୁହନ୍ତି ତେବେ ସେହିଦିନ ସନ୍ଧ୍ୟା ସୁଧା ମୋତେ ଖବର ଦିଆଯାଉ । ରାଜ୍ୟସଭା ଏବଂ ଲୋକସଭାରେ ମନ୍ତ୍ରୀମାନଙ୍କର ଦୁଇ ଘଣ୍ଟା ଯାଏଁ ଡ୍ୟୁଟି ପଡିଥାଏ । ମାତ୍ର ଅନେକ ସମୟରେ ମନ୍ତ୍ରୀମାନେ ଉପସ୍ଥିତ ନଥାନ୍ତି ଯେଉଁଥି ପାଇଁ ବିପକ୍ଷ ଦଳ ବାରମ୍ବାର ଚିଠି ଲେଖି ଅଭିଯୋଗ କରିଥାନ୍ତି । ସେଥିପାଇଁ ସାଂସଦମାନେ ସରକାରୀ କାମରେ ଏବଂ ଯୋଜନାରେ ଅଂଶୀଦାର ହୁଅନ୍ତୁ ।
ଏହି ବୈଠକରେ ମୋଦିଙ୍କ ବ୍ୟତିତ କେନ୍ଦ୍ରୀୟ ଗୃହ ମନ୍ତ୍ରୀ , ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ରକ୍ଷାମନ୍ତ୍ରୀ ରାଜନାଥ ସିଂହ,ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲାଦ ଯୋଶୀ,ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କେନ୍ଦ୍ରୀୟ ମନ୍ତ୍ରୀ ବି ମୁରଲୀଧରଣ ସମେତ ଅନେକ ନେତା ଉପସ୍ଥିତ ଥିଲେ ।