ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଓଡିଶାରେ ପୁଣି ଥରେ ବହୁମତ ସରକାର ଗଢି ଉଠିବ । ଏହାସହିତ ଓଡିଶାରେ ସବୁଠାରୁ ଅଧିକ ପଦ୍ମ ଫୁଟିବ । ଏନେଇ ନିଜେ ପ୍ରଧାନମନ୍ତ୍ରୀ ବୁଧବାର ସୁନ୍ଦରଗଡର ଜନସଭାରେ କହିଛନ୍ତି । ଏହାସହିତ ସେ କଂଗ୍ରେସ ଏବଂ ବିଜେପି ଉପରେ ହମଲା କରିବା ସହ ବିଜେଡି ସରକାର ରାଜ୍ୟରେ ବିକାଶ ହେବାକୁ ଦେଇ ନାହିଁ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ସୁନ୍ଦରଗଡ ଆସିଛନ୍ତି ବୋଲି ମୁଁ ଶୁଣୁଛି, ମୁଁ କହିବାକୁ ଚାହୁଁଛି କି ଆଜି କୌଣସି ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ଆପଣଙ୍କ ମଧ୍ୟରେ ପ୍ରଧାନସେବକ ଆସି ପହଁଚିଛନ୍ତି । ନିଜ ମାଲିକଙ୍କ ଆର୍ଶିବାଦ ନେବା ପାଇଁ ପ୍ରଧାନସେବକ ଏଠାକୁ ଆସିଛନ୍ତି ।
ଆଜି ହେଉଛି ବିଜେପି ସ୍ଥାପନା ଦିବସ । ଏହି ପାର୍ଟି କୌଣସି ଧନବଳ ପାଇଁ ଏବଂ ବାହୁବଳ ପାଇଁ କିମ୍ବା ବିଦେଶରୁ ଉଦ୍ଧାର ନିଆଯାଇଥିବା ବିଚାରଧାରାରେ ତିଆରି ହୋଇ ନାହିଁ । ଏହି ପାର୍ଟି କେବଳ ପରିଶ୍ରମର ଝାଳରୁ ତିଆରି ହୋଇଛି । ଏହା ସମ୍ପୂର୍ଣ୍ଣ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ବଳିଦାନରେ ତିଆରି ହୋଇଛି ।
ଅଟଳ ବିହାରୀ ବାଜପେୟୀ କହୁଥିଲେ କି, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗୋଟେ ଗୋଡ ଟ୍ରେନରେ ଏବଂ ଅନ୍ୟ ଗୋଟେ ଗୋଡ ଜେଲରେ ରହିବା ଉଚିତ୍ । ଦେଶକୁ ବୁଝିବା ପାଇଁ ଯାତ୍ରା କରିବା ଆବଶ୍ୟକ ଏବଂ ବିକାଶ ପାଇଁ ସଂଘର୍ଷ କରିବା ଉଚିତ୍ । ଏହାସହିତ ସେ ଆହୁରୀ ମଧ୍ୟ କହୁଥିଲେ କି ଅନ୍ଧାର ଦୂର ହେବ, ଆଲୋକ ଆସିବ, ପଦ୍ମ ଫୁଟିବ । ଓଡିଶାରେ ବି ମୁଁ ଦେଖୁଛି କି ଏବେ ପଦ୍ମ ଫୁଟିବ ନିଶ୍ଚିତ । ପାଞ୍ଚ ବର୍ଷ ପୂର୍ବେ କେହି ଭାବି ନଥିଲେ କି ଓଡିଶାରେ ବିଜେପି ସୁଦୃଢ ହେବ । ଆଜି ମୁଁ ଦାବିର ସହ କହି ପାରିବି କି ଓଡିଶାରେ ଏଥରକ ସବୁଠାରୁ ଅଧିକ ପଦ୍ମ ଫୁଟିବ ।