ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଛିଡୁନି ମହାରାଷ୍ଟ୍ରର ମହାନାଟକ । ଡ୍ରାମା ପରେ ଡ୍ରାମା ହୋଇ ଚାଲି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବହୁମତ ପରୀକ୍ଷଣ ପାଇଁ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଆଦେଶ ଦିଆଯାଇଛି ।
ଏନେଇ କୋର୍ଟ ପକ୍ଷରୁ କୁହାଯାଇଛି, ପ୍ରଥମେ ପ୍ରୋଟେମ ସ୍ପିକରର ନିର୍ବାଚନ ହେଉ , ଯିଏ ବିଧାୟକଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ଏହାପରେ ସଦନରେ ଶକ୍ତି ପରୀକ୍ଷଣ ହେବ । ଏହି ସବୁ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି କି ପ୍ରକୃତରେ ପ୍ରୋଟେମ ସ୍ପିକର ହେବ କିଏ? ନିୟମନୁସାରେ ସବୁଠାରୁ ବରିଷ୍ଠ ସଦସ୍ୟଙ୍କୁ ପ୍ରୋଟେମ ସ୍ପିକରର ଦାୟିତ୍ୱ ଦିଆଯାଇଥାଏ ।
ମହାରାଷ୍ଟ୍ରର ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ ସ୍ପିକର କରାଯିବ । କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବାଲାସାହେବ ଥୋରାଟ ଆଠ ଥର ବିଧାୟକ ହୋଇସାରିଛନ୍ତି । ସେ ଅହମଦନଗର ଜିଲ୍ଲା ସଙ୍ଗମନେରରୁ ଆଠ ଥର ବିଧାୟକ ହୋଇଛନ୍ତି । ସେଥିପାଇଁ ତାଙ୍କୁ ପ୍ରୋଟେମ ସ୍ପିକର କରାଯିବ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ପରେ ସାତ ଥର ବିଧାୟକ ରୂପେ ଅଜିତ୍ ପାୱର , ଜୟନ୍ତ ପାଟିଲ ଏବଂ ଦିଲ୍ଲୀପ ବାଲ୍ସେ-ପାଟିଲ ରହିଛନ୍ତି ।