ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲମ୍ବା ରାଜନୀତି ପରେ ଶେଷରେ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ମଞ୍ଜୁର କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ଏହାପରେ ସେହି ଇସ୍ତଫା ପତ୍ରକୁ ରାଜ୍ୟପାଳଙ୍କ ମଞ୍ଜୁରୀ ଏବଂ ଅନ୍ୟ ଜରୁରୀ କାର୍ଯ୍ୟବାହୀ ପାଇଁ ପଠାଯାଇଛି ।
ଖବରମୁତାବବକ,ଗତ ରବିବାର ପଞ୍ଜାବ ସରାକାରର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବାର ସୂଚନା ଟ୍ୱିଟର ଯୋଗେ ଜଣାଇଥିଲେ । କିନ୍ତୁ ରବିବାର ଦିନ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ପାଇ ନାହାନ୍ତି ବୋଲି କହିଥିଲେ । ଏହାପରେ ସୋମବାର ମୁଖ୍ୟମନ୍ତ୍ରୀ ଅଫିସ୍ ପକ୍ଷରୁ ଇସ୍ତଫା ମିଳିଥିବାର ପୃଷ୍ଟ କରିଥିଲେ ।
କ୍ରିକେଟରରୁ ରାଜନୀତିରେ ପାଦ ଥାପି ଥିବା ସିଦ୍ଧୁ ଲେଖିଥିଲେ କି , ମୁଁ ପଞ୍ଜାବ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖରେ ଜୁନ୍ ୧୦, ୨୦୧୯ରେ ମୋ ଇସ୍ତଫା ପହଁଚି ଯାଇଥିଲା । ସିଦ୍ଧୁଙ୍କ କହିବାନୁଯାୟୀ ସେ ଅନେକ ଦିନ ହେବ ରାହୁଲ ଗାନ୍ଧୀଙ୍କ ଉତ୍ତରକୁ ଅପେକ୍ଷା କରିଥିଲେ, କିନ୍ତୁ ଏବେ ସେ ତାଙ୍କ ଇସ୍ତଫାକୁ ମଞ୍ଜୁର ମନେ କରୁଛନ୍ତି ।
ଲୋକସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ପରାଜୟ ହେବା ପରେ ସିଦ୍ଧୁଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭଡକିଯାଇଥିଲେ । କେବଳ ଏତିକି ନୁହେଁ ନିର୍ବାଚନ ପରେ ଜୁନ୍ ୬ ରେ କ୍ୟାବିନେଟ୍ ର ପ୍ରଥମ ବୈଠକରେ ସିଦ୍ଧୁ ସମେତ ଅନେକ ମନ୍ତ୍ରୀ ବିଭାଗରେ ପରିବର୍ତ୍ତନ କରିଥିଲେ ମୁଖ୍ୟମନ୍ତ୍ରୀ ।