ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ବାଚନରେ ମୋଦିଙ୍କ ବିପୁଳ ବିଜୟ ପାଇଁ ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଏଥି ସହିତ ସେ ଆସନ୍ତା ୩୦ ତାରିଖରେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ସପଥ ପାଠ ଉତ୍ସବରେ ଯୋଗ ଦେଇ ପାରନ୍ତି ବୋଲି ସୂଚନା ମିଳିଛି । ସେ ମୋଦିଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଏବଂ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସହିତ ତୁଳନା କରିଛନ୍ତି । ରଜନୀ ମୋଦିଙ୍କୁ ଜଣେ ଭଲ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ।
ସେହିଭଳି କଂଗ୍ରେସର ପରାଜୟ ନେଇ ମଧ୍ୟ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦେଶକୁ ଦୃଢ ସରକାର ଦରକାର । ସେହି ଭଳି ଗଣତନ୍ତ୍ର ପାଇଁ ଦୃଢ ବିରୋଧୀ ଦଳର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ରାହୁଲ ଗାନ୍ଧି ନିଜ ପଦ ନ ଛାଡିବା ପାଇଁ ରଜନୀକାନ୍ତ ପରାମର୍ଶ ଦେଇଛନ୍ତି । ତେବେ ସେ ମୋଦିଙ୍କ ସପଥ ପାଠ ଉତ୍ସବରେ ଯୋଗ ଦେବେ କି ନାଁ ତାହା ସ୍ପଷ୍ଟ କରି ନାହାନ୍ତି ।
ଅନ୍ୟପଟେ କଂଗ୍ରେସରୁ ରାହୁଳ ଗାନ୍ଧି ଇସ୍ତପା ଜିଦରେ ଅଟଳ ରହିଛନ୍ତି । ଏ ନେଇ ସେ କାର୍ଯ୍ୟକାରିଣୀ କମିଟିକୁ ଜଣାଇଛନ୍ତି । କଂଗ୍ରେସ ପାଇଁ ଏକ ବିକଳ୍ପ ଖୋଜିବାକୁ ପରାମର୍ଶ ଦେଇଛନ୍ତି । ରାହୁଳଙ୍କ ଇସ୍ତପା ପରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା କଂଗ୍ରେସର ଅଧ୍ୟକ୍ଷ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସୋନିଆ ଗାନ୍ଧି ମଧ୍ୟ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଅରାଜି ଅଛନ୍ତି ।