ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡିଶା । ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେବିୱେଟ ନେତା ରାଜନାଥ ସିଂହ । ସେ ନିମାପଡା,ବରି ଏବଂ ଚାନ୍ଦବାଲିରେ ହେବାକୁଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ତେବେ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ବାକି ଥିବା ବେଳେ ଦଳର ହେବିୱେଟ ନେତାଙ୍କ ଆଗମନ ମଦ ପାଇଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ବହନ କରିବ ବୋଲି ଆଶା ରଖିଛି ବିଜେପି ।
ରାଜନାଥଙ୍କ ପରେ ଆସନ୍ତା ୨୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଓଡିଶା ଗସ୍ତରେ ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଶେଷ ପର୍ଯ୍ୟାୟର ଶେଷ ପ୍ରଚାର କରିବା ପାଇଁ ଆସିବେ ଅମିତ ଶାହା । ଆସନ୍ତା ୨୯ ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଶାହା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି ।
ଶାହା ଓଡିଶାରେ ୧୨୦ ପ୍ଲସର ଗଣିତ ପୂର୍ବରୁ ଘୋଷଣା କରିଛନ୍ତି । ଏଣୁ ସେ ନିୟମିତ ଭାବରେ ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁଜ୍ଞାନ ଦେଉଛନ୍ତି । ରାଜ୍ୟର କୋଣ ଅନୁକୋଣରେ ବହୁ ସଭା ସମିତିମାନ ଆୟୋଜନ କରି ଭୋଟରଙ୍କୁ ଆକୃଷ୍ଟ କରିବା ସହିତ ନବୀନଙ୍କୁ ମଧ୍ୟ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଶାହାଙ୍କ ବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବହୁବାର ଓଡିଶାରେ ଆସି ଡେରା ପକାଇଛନ୍ତି । ତେବେ କେନ୍ଦ୍ରୀୟ ନେତାଙ୍କ ଏଭଳି ବାରମ୍ବାର ଗସ୍ତ ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।