ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି ପିଆଜ ଟ୍ରାଜେଡି । ଏହାସହିତ ପିଆଜ ଦର କମିବାର ନାଁ ଧରୁନି । ସେପଟେ ଦର ଉପରେ ଅଙ୍କୁଶ ଲଗାଇବାରେ ସରକାର ବିଫଳ ହେଉଥିବାର ଦେଖିବାକୁ ମିଳୁଛି । ଏହି ପ୍ରସଙ୍ଗ ଉପରେ ବିପକ୍ଷ ଦଳର ନେତାମାନେ ସରକାରଙ୍କ ଉପରେ ପ୍ରଶ୍ନ କରିବାରେ ଲାଗିଛନ୍ତି । ଏହାକୁ ନେଇ ବୁଧବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ମୁଁ ଏତେ ରସୁଣ ଓ ପିଆଜ ଖାଏ ନାହିଁ । ମୁଁ ଏଭଳି ଏକ ପରିବାରରୁ ଆସିଛି ଯେଉଁଠି ଅଧିକ ପିଆଜ ଓ ରସୁଣ ବ୍ୟବହାର କରାଯାଏ ନାହିଁ ।’ ସୀତାରମଣଙ୍କ ଏହି ବୟାନ ପରେ ସଂସଦରେ ସମସ୍ତେ ହସିବାରେ ଲାଗିଥିଲେ । ପିଆଜ ଖାଇବାକୁ ନେଇ କିଛି ସଦସ୍ୟ ଲୋକସଭାରେ ପ୍ରଶ୍ନ କରିବାରୁ ଏହାର ଜବାବ ଦେଇଥିଲେ ନିର୍ମଳା ସୀତାରମଣ ।
ଏହାପୂର୍ବରୁ ଏନପିଏ ଏବଂ ପିଆଜ କୃଷକଙ୍କ ପ୍ରସଙ୍ଗ ଉଠାଇଥିଲେ ସାଂସଦ ସୁଲେ । ସେ କହିଥିଲେ, ମୁଁ ପିଆଜକୁ ନେଇ ସରକାରଙ୍କୁ ଏକ ଛୋଟିଆ ପ୍ରଶ୍ନ କରିବାକୁ ଚାହୁଁଛି । ସରକାର ଇଜିପ୍ଟରୁ ପିଆଜ ମଗାଉଛନ୍ତି ବା ପିଆଜ ଆଣିବାର ବ୍ୟବସ୍ଥା କରାଉଛନ୍ତି । ପ୍ରକୃତରେ ମୋ ଘର ମହାରାଷ୍ଟ୍ର, ସେଠାରେ ପ୍ରଚୁର ପରିମାଣର ପିଆଜ ଉତ୍ପାଦନ ହୋଇଥାଏ, କିନ୍ତୁ ମୁଁ ପଚାରିବାକୁ ଚାହିଁବି ସେଠାରେ ପିଆଜ ଉତ୍ପାଦନ କାହିଁକି ହ୍ରାସ ହେଲା । କ୍ଷୁଦ୍ର ଚାଷୀମାନେ ପିଆଜ ଉତ୍ପାଦନ କରୁଛନ୍ତି ସେମାନଙ୍କୁ ରକ୍ଷା କରିବାର ଆବଶ୍ୟକତା ରହିଛି ।