ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ଗୃହମନ୍ତ୍ରୀ ଭାବେ ଶନିବାର ଅମିତ୍ ଶାହା ତାଙ୍କ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତାଙ୍କ ସହିତ ଦୁଇ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ଜୀ କିଶନ ରେଡ୍ଡୀ ମଧ୍ୟ ସେମାନଙ୍କ ପଦଭାର ସମ୍ଭାଳିଛନ୍ତି । ପଦଭାର ଗ୍ରହଣ କରିବାର ପରଦିନ ମାନେ ରବିବାର ଅମିତ୍ ଶାହା ପୋଲିସ୍ ସ୍ମାରକ ପହଁଚି ସେଠାରେ ସେ ସହିଦଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି । ଏହା ପୂର୍ବରୁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରିୟ ସୌର୍ଯ୍ୟ ସ୍ମାରକ ଯାଇଥିଲେ । ସେଠାରେ ସେମାନେ ରାଷ୍ଟ୍ର ସେବାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିସାରିଛନ୍ତି ।
ସେପଟେ ଅମିତ୍ ଶାହା ତାଙ୍କ କାର୍ଯ୍ୟଭାର ସମ୍ଭାଳିବା ପରେ ଟ୍ୱିଟ୍ କରି କହିଥିଲେ କି , ‘ଆଜି ଭାରତର ଗୃହମନ୍ତ୍ରୀ ଭାବେ ପଦଭାର ସମ୍ଭାଳିଛି । ମୋ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଦେଶର ସୁରକ୍ଷା ଏବଂ ଦେଶବାସୀଙ୍କ କଲ୍ୟାଣ ମୋଦି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା . ମୋଦି ଜୀଙ୍କ ନେତୃତ୍ୱରେ ଏହାକୁ ପୁରଣ କରିବାକୁ ଯଥା ସମ୍ଭବ ପ୍ରୟାସ କରିବି’ ।
ଚାଣକ୍ୟପୁରୀରେ ୩୦ ଫୁଟ୍ ଉଚତା ବିଶିଷ୍ଟ ଏହି ସ୍ତମ୍ବ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପୋଲିସ ଏବଂ କେନ୍ଦ୍ର ପୋଲିସ ସଂଗଠନର ପ୍ରତିନିଧିତ୍ୱ କରେ । ଶାନ୍ତିପଥର ଉତ୍ତରରେ ଥିବା ଚାଣକ୍ୟପୁରୀରେ ଏହି ସ୍ମାରକ ୬.୧୨ ଏକର ଜମିରେ ନିର୍ମାଣ କରାଯାଇଛି ।
ଦେଶ ସ୍ୱାଧୀନ ହେବା ପରେ ଏପର୍ଯ୍ୟନ୍ତ ୩୪,୮୪୪ ପୋଲିସ ଯବାନ ସହିଦ ହୋଇସାରିଲେଣି । ଯେଉଁଥିରେ ୨୦୧୮ ମସିହାରେ ୪୨୪ ପୋଲିସ ଯବାନ ସହିଦ ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ଅନେକ ଯବାନ ପଞ୍ଜାବ, ଆସାମ, ନାଗାଲାଣ୍ଡ, କଶ୍ମୀର, ମଣିପୁର, ମିଜୋରାମ ଭଳି ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ବିରେୀଧରେ ଲଢେଇ କରି ଦେଶ ପାଇଁ ଜୀବନ ହାରିଛନ୍ତି ।