ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଥମିଯାଇଛି ପଶ୍ଚିମବଙ୍ଗ ନିର୍ବାଚନ ଲଢେଇ । ସାମ୍ନାକୁ ଆସିଛି ଫଳାଫଳ । ପୁଣି ଥରେ ସତ୍ତାକୁ ଆସିଛି ମମତା ବାନାର୍ଜିଙ୍କ ଦଳ ତୃଣମୂଳ କଂଗ୍ରେସ । ଦଳ ବିଜୟ ହାସଲ କରିଛି ସତ କିନ୍ତୁ ନନ୍ଦିଗ୍ରାମ ବିଧାନସଭା ସିଟ୍ ରୁ ପରାଜୟ କରିଛନ୍ତି ମମତା । ଏଭଳି ସ୍ଥିତିରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ମମତା ଏବେ ମୁଖ୍ୟମନ୍ତ୍ରୀ କିଭଳି ହେବେ । ତେବେ ଆସନ୍ତୁ ଜାଣିବା ନିର୍ବାଚନରେ ହାରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କିଭଳି ହୋଇ ପାରିବେ । କଣ ରହିଛି ଏଥିପାଇଁ ନିୟମ ।
ନନ୍ଦୀଗ୍ରାମ ବିଧାନସଭା ସିଟ୍ ରୁ ମମତାଙ୍କ ବିପକ୍ଷରେ ମଇଦାନରେ ଥିଲେ ବିଜେପି ପ୍ରାର୍ଥୀ ସୁଭେନ୍ଦୁ ଅଧିକାରୀ । ଏହି ସିଟ୍ ରୁ ୧୯୫୭ ଭୋଟରୁ ମମତାଙ୍କୁ ହରାଇଛନ୍ତି ଶୁଭେନ୍ଦୁ । ନନ୍ଦୀଗ୍ରାମରୁ ମମତା ନିର୍ବାଚନରେ ହାରିଗଲେ କିନ୍ତୁ ରାଜ୍ୟରେ ତାଙ୍କ ଦଳ ତୃତୀୟ ଥର ସତ୍ତାକୁ ଆସିଛି । ସେଥିପାଇଁ ଏବେ ଲୋକଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଛି କି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କିଭଳି ହେବେ ମମତା ।
ମୁଖ୍ୟମନ୍ତ୍ରୀ ହେବା ପାଇଁ ହେଲେ ବିଧାନସଭା ବା ବିଧାନ ପରିଷଦର ସଦସ୍ୟ ହୋଇଥିବା ଜରୁରୀ । ଯଦି ବିଧାନସଭା ବା ବିଧାନ ପରିଷଦର ସଦସ୍ୟ ହୋଇନଥିବେ ତେବେ ଶପଥ ନେବାର ଛଅ ମାସ ଭିତରେ ସଦସ୍ୟ ହେବା ଜରୁରୀ । ନିୟମ ଅନୁସାରେ, ଜଣେ ବିଧାୟକଙ୍କ ବିନା ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରାଯାଇପାରିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ୬ ମାସ ସମୟ ମିଳିଥାଏ । ଏହି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହେବା ତାଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଯଦି ଏହା କରା ନ ଯାଏ ତେବେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିବ।