ପାଟନା(ଏଟିଆର ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ବିଲ୍ କୁ ନେଇ ସାରା ଭାରତ ବର୍ତ୍ତମାନ ଜଳୁଛି । ତେବେ ଏହା ମଧ୍ୟରୁ ବିହାର ବାଦ ପଡିନାହିଁ । ଆଜି ସକାଳୁ ବିହାର ମୁଖ୍ୟମନ୍ତ୍ରୀ ନିଖୋଜ ନେଇ ପାଟନାରେ ପୋଷ୍ଟର ଲାଗିଥିବାର ଦେଖାଯାଇଛି । ଏମିତି କିଛି ପୋଷ୍ଟର ପାଟନା ସହରରେ ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ପୋଷ୍ଟର ମାନଙ୍କରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଲଗାଯାଇ ସେ ନିଖୋଜ ଥିବାର ଲେଖାଯାଇଛି । ଆଉ କିଛି ପୋଷ୍ଟରରେ ଲେଖାଯାଇଛି, ମୁକ, ବଧିର ଓ ଅନ୍ଧ ମୁଖ୍ୟମନ୍ତ୍ରୀ ଏହା ସହ ପୋଷ୍ଟର ତଳକୁ ଲେଖାଯାଇଛି ନିଖୋଜ । ସେହିଭଳି ଆଉ କିଛି ପୋଷ୍ଟରରେ ଧ୍ୟାନ ଦେଇ ଏହି ଚେହେରାକୁ ଦେଖନ୍ତୁ ବୋଲି ଲେଖାଯିବା ସହ କିଛି ଦିନ ହେବ ନା ଦେଖାଯାଉଛନ୍ତି ନା ଶୁଣା ଯାଉଛନ୍ତି ବୋଲି ଲେଖା ଯାଇଛି । ଯିଏ ନିତୀଶଙ୍କୁ ଖୋଜି ଦେବ ତାଙ୍କ ନିକଟରେ ବିହାର କୃତଜ୍ଞତା ଜ୍ଞାପନ କରିବ ବୋଲି ମଧ୍ୟ ଲେଖା ଯାଇଛି । ପାଟନା ସହରର ଅନ୍ୟ କିଛି ଜାଗାରେ ନୀତିଶଙ୍କ ଫଟୋରେ ଅଦୃଶ୍ୟ ମୁଖ୍ୟମନ୍ତ୍ରୀ ସହ କେବଳ ଶପଥ ଗ୍ରହର ଉତ୍ସବରେ ଏହାଙ୍କୁ ଦେଖିବାକୁ ମିଳିଥିଲା ବୋଲି ଲେଖାଯାଇଛି ।
ତେବେ ଏସବୁ ପୋଷ୍ଟର ଲଗାଇବାର ମୁଖ୍ୟ କରାଣ ହେଉଛି ନାଗରିକତ୍ୱ ସଂଶୋଧନ ବିଲ୍ ଓ ରାଷ୍ଟ୍ରୟ ନାଗରିକ ରେଜିଷ୍ଟରକୁ ନେଇ ନୀତିଶ କୁମାରଙ୍କ ଚୁପ ରହିବା । ଗତକିଛି ଦିନ ତଳେ ନୀତିଶ କୁମାର ଉଭୟ ଲୋକସଭା ଓ ରାଜ୍ୟସଭାରେ ସିଏଏକୁ ସମର୍ଥନ କରିଥିଲେ । କିନ୍ତୁ ନୀତିଶଙ୍କ ଦଳ ଜେଡିୟୁ ଏନଆରସିକୁ ବିରୋଧ କରିଛି । ଏହା ସହ ଦଳର ବହୁ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ଅନ୍ୟମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଥିଲେ । ତେବେ ଏଭଳି ପୋଷ୍ଟର କିଏ ଲଗାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।