ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା । ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ଗୋଟେ ପରେ ଗୋଟେ ପ୍ୟାକେଜ୍ ଘୋଷଣା କରାଯାଉଛି । ସେହି ଅନୁଯାୟୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ୧.୭୦ ଲକ୍ଷ କୋଟିର ବଡ ପ୍ୟାକେଜ୍ ଘୋଷଣା କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି କି, ଗରିବ ଲୋକଙ୍କୁ ସାହାଯ୍ୟ କରିବେ ସରକାର । ଏହାସହିତ ଯେଉଁ ବ୍ୟକ୍ତି ଏହି ଭାଇରସ ପାଇଁ ଲଢେଇ କରୁଛନ୍ତି ଯଥା ଚିକିତ୍ସା କ୍ଷେତ୍ରରେ କାମ କରୁଛନ୍ତି ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଜୀବନ ବୀମା ଦିଆଯିବ । ସେହିପରି ଆଗାମୀ ତିନି ମାସ ପର୍ଯ୍ୟନ୍ତ ୮୦ କୋଟି ଗରିବଙ୍କୁ ୫ କିଲୋ ଲେଖାଏଁ ଚାଉଳ ଏବଂ ଗହମ ଦିଆଯିବ । ଏହାସହିତ ଗୋଟେ କିଲୋ ଡାଲି ମଧ୍ୟ ଦିଆଯିବ ।
ଏହାବ୍ୟତିତ ବରିଷ୍ଠ ନାଗରିକ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କୁ ଆଗାମୀ ତିନି ମାସ ମଧ୍ୟରେ ୨ଟି କିସ୍ତିରେ ଏକ ହଜାର ଟଙ୍କା ଦିଆଯିବ । ମନରେଗା ଏବଂ ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ବି ସିଧା ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଯିବ ।
ସେହିପରି ମହିଳା ଜନଧନ ଖାତାଧାରକଙ୍କୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ଦିଆଯିବ । ଏହାଦ୍ୱାରା ୨୦ କୋଟି ମହିଳାଙ୍କୁ ଫାଇଦା ହେବ । ଏହି ଟଙ୍କା ବି ସିଧା ସଳଖ ବେନିଫିଟ୍ ଟ୍ରାନ୍ସଫର ସ୍କିମ୍ ଅନୁଯାୟୀ ଦିଆଯିବ ।
ଏପ୍ରିଲ ମାସର ପ୍ରଥମ ସପ୍ତାହରେ କୃଷକ ସମ୍ମାନ ନିଧି ଅନୁଯାୟୀ କୃଷକଙ୍କ ଖାତାରେ ୨୦୦୦ ଟଙ୍କାର କିସ୍ତି ଦିଆଯିବ । ଏହାର ଫାଇଦା ୮,୬୯ କୋଟି କୃଷକଙ୍କୁ ମିଳିବ । ମନରେଗା ଅନୁଯାୟୀ ଶ୍ରମିକଙ୍କ ଦିନ ମଜୁରୀକୁ ୧୮୦ ଟଙ୍କାରୁ ବଢାଯାଇ ୨୦୨ ଟଙ୍କା କରି ଦିଆଯାଇଛି ।