ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଯୋଦ୍ଧା ତଥା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣର ପୃଷ୍ଠଭୂମିରେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାମାରୀ ରୋଗ (ସଂଶୋଧନ) ଅଧିନିୟମ, ୨୦୨୦ ଲାଗୁ କରିବାକୁ ମଞ୍ଜୁରୀ ଦେଇଛନ୍ତି । ସେହିଅନୁଯାୟୀ ଏବେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କଲେ କଠିନ ଦଣ୍ଡ ଭୋଗିବାକୁ ପଡିବ । ମହାମାରୀ ରୋଗ ଅଧିନିୟମ, ୧୮୯୭ ରେ ସଂଶୋଧିତ ଏହି ଅଧ୍ୟାଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଏବଂ ସେମାନଙ୍କ ସମ୍ପତି ନଷ୍ଟ ଉପରେ ଜେଲ ଦଣ୍ଡାଦେଶ ସହ ଲକ୍ଷାଧିକ ଟଙ୍କାର ଜରିମାନା ଦେବାକୁ ପଡିବ ।
ଏହାପୂର୍ବରୁ ବୁଧବାର ଦିନ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ଅଧ୍ୟାଦେଶ ଉପରେ ମଞ୍ଜୁରୀ ଦେଇଥିଲେ । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ହିଂସାକୁ ଆଇନଗତ ଅପରାଧ ବୋଲି କୁହାଯାଇଛି ।
ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି,ରାଷ୍ଟ୍ରପତି ଏହି ଅଧ୍ୟାଦେଶର ଉଦଘୋଷଣା ପାଇଁ ମଞ୍ଜୁରୀ ଦେଇ ଦେଇଛନ୍ତି ।
ଅଧ୍ୟାଦେଶ ଅନୁସାରେ, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କଲେ ବା ଆକ୍ରମଣକାରୀଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ । କେବଳ ଏତିକି ନୁହେଁ ଏକ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ।