ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ୭ ଦିନିଆ ବିଦେଶ ଗସ୍ତରୁ ଫେରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିର ୪ ର୍ଥ ମନକିବାତ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି । ସେ ସମଗ୍ର ଦେଶବାସୀଙ୍କୁ ପବିତ୍ର ନବ ରାତ୍ରୀର ଶୁଭେଚ୍ଛା ଜଣାଇବା ସହିତ ବିଶିଷ୍ଟ ଗାୟିକା ଲତା ମଙ୍ଗେଷ୍କରଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ତେବେ ଏଥର ଶାରଦୀୟ ଦୁର୍ଗା ପୂଜା ଅବସରରେ ମୋଦି ନାରୀ ଶକ୍ତି ଓ ନାରୀ ସମ୍ମାନକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ।
ଏହି ଅବସରରେ ସେ ଏକ ନୂଆ ନାରା ମଧ୍ୟ ଦେଇଛନ୍ତି । ଏଥର ଦୀପାବଳିରେ ସେ “ଭାରତକିଲକ୍ଷ୍ମୀ’’ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଦୀପାବଳିରେ ସୌଭାଗ୍ୟ ଏବଂ ସମୃଦ୍ଧିର ସହିତ ମା ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ । ଆମ ସଂସ୍କୃତିରେ ଝିଅକୁ ଲକ୍ଷ୍ମୀ ରୂପରେ ତୁଳନା କରାଯାଇଥାଏ । କାରଣ ଝିଅ ଘରର ସୁଖ ସମୃଦ୍ଧି ଆଣିଥାଏ ।
ଆମ ଦେଶରେ ଏମିତି ଝିଅ ଅଛନ୍ତି ଯିଏ ନିଜ ପ୍ରଚେଷ୍ଟା ଓ ପ୍ରତିଭା ବଳରେ ବିଦେଶରେ ଆମ ଦେଶକୁ ଗୌରବାନ୍ୱୀତ କରିଛନ୍ତି । ତେଣୁ ଆମେ ଏଥର ଦୀପାବଳିରେ ଝିଅ ମାନଙ୍କୁ ପ୍ରୋତ୍ସାହନ ଓ ସହଯୋଗ କରିବା ପାଇଁ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ପାରିବା କି? ବୋଲି ପ୍ରଶ୍ନ ଛଳରେ ଉତ୍ତର ଖୋଜିଛନ୍ତି ମୋଦି । ସେ ଆହୁରି ମଧ୍ୟ ଆହ୍ୱାନ ଦେଇ କହିଛନ୍ତି ସାମାଜିକ ଗଣମାଧ୍ୟମରେ #Selfiwithdaughter ଭଳି #BHARATKILAXMI ଆରମ୍ଭ କରିବାକୁ ।