ପାଟଣା(ଏଟିଆର ବ୍ୟୁରୋ): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ନାଁରେ ତାଙ୍କ ବୋହୂ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି ଯେ, ରାବଡି ଦେବୀ ତାଙ୍କ ଚୁଟି ଘୋଷାଡି ତାଙ୍କୁ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ ଏହି ଘଟଣା ରବିବାର ଦିନ ଘଟିଛି । ପାଟଣାର ୧୦, ସାର୍କ୍ୟୁଲାର ରୋଡରେ ଥିବା ରାବଡି ଦେବୀଙ୍କ ନିବାସରେ ଏହି ଘଟଣା ଘଟିଥିବାର ଜଣା ପଡିଛି । ଏହା ସହ ଐଶ୍ୱର୍ଯ୍ୟା କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ତାଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ଏହି ଆକ୍ରମଣ ପରେ ବଡିଗାର୍ଡମାନଙ୍କ ଦ୍ୱାରା ତାଙ୍କୁ ଘରୁ ତଡି ଦିଆଯାଇଥିବାର କଥା ମଧ୍ୟ ସେ କହିଛନ୍ତି ।
ଏହି ଘଟଣା ଘଟିବା ପରେ ଐଶ୍ୱର୍ଯ୍ୟାଙ୍କ ପିତା ବିଧାୟକ ଚନ୍ଦ୍ରିକା ରାୟ ରାବଡି ଦେବୀଙ୍କ ନୀବାସରେ ପହଞ୍ଚି ଥିଲେ । ଏହା ପରେ ରାବଡି ଦେବୀଙ୍କ ବିରୋଧରେ ସଚିବାଳୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।ଏହା ପରେ ଆହତ ଐଶ୍ୱର୍ଯ୍ୟାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଐଶ୍ୱର୍ଯ୍ୟା ଏ ବାବଦରେ ଏସପି ଗାରିମା ମଲିକଙ୍କୁ ଜଣାଇବା ପରେ ପରିସ୍ଥିତି ସ୍ୱଭାବିକ ହୋଇଛି । ତଦନ୍ତ ପାଇଁ ରାବଡି ଦେବୀଙ୍କ ନିବାସକୁ ପୋଲିସ ପଠା ଯାଇଥିବାର ଡିଏସପି ରାକେଶ ପ୍ରଭାକର ସୂଚନା ଦେଇଛନ୍ତି ।