ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ ) : ରାଫେଲ କିଣାରେ ହୋଇନି ଦୁର୍ନୀତି । ଏଭଳି ଏକ ବଡ ଓ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ରାଫେଲ ଡିଲରେ କୌଣସି ଅନିୟମିତତା ହୋଇନି ଓ ଏହାର ତଦନ୍ତର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟରେ ସ୍ପଷ୍ଟ କରିଛନ୍ତି । ଏହାସହ ପ୍ରତିରକ୍ଷା ସାମଗ୍ରୀ କିଣାରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ସର୍ବୋଚ୍ଚ ନ୍ୟାାୟାଳୟଙ୍କ ଏହି ରାୟ ଏବେ ରାଫେଲକୁ ନେଇ ହୋ-ହାଲ୍ଲା କରୁଥିବା ବିରୋଧୀମାନଙ୍କୁ ଏକ ଶକ୍ତ ଝଟକା ଦେଇଛି ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇବା ସହ ଏ ସଂପର୍କିିତ ମାମଲାକୁ ଖାରଜ କରିଦେଇଛନ୍ତି । ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧବିମାନ କିଣିବାରେ କେନ୍ଦ୍ର ସରକାର କୌଣସି ଦୁର୍ନୀତି କରି ନାହାଁନ୍ତି ବୋଲି କୋର୍ଟ ଜାଣିବାକୁ ପାଇଥିବା କହିଛନ୍ତି ଜଷ୍ଟିସ ଗୋଗୋଇ । ଏଥିରେ ଡିଲ ପାଇଁ ପ୍ରଚଳିତ ନିୟମର ପାଳନ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଦସ୍ତାବିଜକୁ ଅନୁଧ୍ୟାନ କରିବା ସହ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତାମତ ମଧ୍ୟ ନିଆଯାଇଥିବା କହିଛନ୍ତି ଜଷ୍ଟିସ ଗୋଗୋଇ ।
ପ୍ରତିପକ୍ଷଙ୍କ ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ କହିଛନ୍ତି, ରାଫେଲ କିଣାରେ ଦୁର୍ନୀତି ହୋଇଥିବା ନେଇ ଯେଉଁ ଅଭିଯୋଗ ଆସୁଛି ତାହାର କୌଣସି ପ୍ରମାଣ ନାହିଁ । ତେଣୁ ଏଥିରେ ସନ୍ଦେହ କରିବାର ଆବଶ୍ୟକତା ନାହିଁ । ଡିଲରେ କୌଣସି ଆର୍ଥିକ ଅନିୟମିତା ମଧ୍ୟ ହୋଇନଥିବା କୋର୍ଟ କହିଛନ୍ତିି ।