ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜି ମାରି ନେଇଛି । ଯାହାର ସମସ୍ତ ଶ୍ରେୟ ସଚିନ୍ ଙ୍କୁ ଦିଆଯାଇଛି । ସେ ରାଜସ୍ଥାନରେ କଂଗ୍ରେସର ଉପମୁଖ୍ୟମନ୍ତ୍ରୀର ଭାର ତୁଲାଇବାର ଦାୟିତ୍ୱ ନେଇଛନ୍ତି ।
ଲଣ୍ଡନରେ ପଢିବା ସମୟରେ ସଚିନ୍ ଙ୍କର ସାରା ଅବଦୁଲ୍ଲାଙ୍କ ସହ ଭେଟ ହୋଇଥିଲା । କିଛି ଦିନ ପରେ ଦୁହେଁ ଦୁହିଁଙ୍କୁ ଡେଟ୍ କରିବାକୁ ଲାଗିଲେ ।
ଖବରମୁତାବକ, ସାରା ହେଉଛନ୍ତି କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲାଙ୍କ ଝିଅ ଏବଂ ଅମର ଅବଦୁଲ୍ଲାଙ୍କ ଭଉଣୀ । ଲଣ୍ଡନରେ ପାଠପଢା ସରିବା ପରେ ସଚିନ୍ ଦିଲ୍ଲୀ ଫେରିଯାଇଥିଲେ କିନ୍ତୁ ସାରାଙ୍କ ପଢା ସରିନଥିବାରୁ ସେ ଲଣ୍ଡନରେ ଥିଲେ । ଦୁହିଁଙ୍କ ମଧ୍ୟରେ ଦୂରତା ଆସିଥିଲା ସତ କିନ୍ତୁ ଭଲ ପାଇବା କମିନଥିଲା । ଦୁହିଁଙ୍କ ମଧ୍ୟରେ ପ୍ରେମ ଇ-ମେଲ ଏବଂ ଟେଲିଫୋନ୍ ଜରିଆରେ ଚାଲିଥିଲା । ଦୀର୍ଘ ତିନି ବର୍ଷର ଡେଟିଙ୍ଗ ପରେ ଦୁହେଁ ଏହି ସମ୍ପର୍କ ବିଷୟରେ ଘରେ ଜଣାଇବାକୁ ନିଷ୍ପତି ନେଲେ ।
ଉଭୟଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଦୁହିଁଙ୍କ ପ୍ରେମରେ ବାଧକ ସୃଷ୍ଟି ହୋଇଥିଲା । କାରଣ ଗୋଟେ ପଟେ ସଚିନ୍ ହିନ୍ଦୁ ହୋଇଥିବା ବେଳେ ସାରା ଥିଲେ ମୁସଲମାନ ପରିବାରର । ସଚିନ୍ ଙ୍କ ପରିବାର ଲୋକେ ଏହି ବାହାଘର ପାଇଁ ରୋକ୍ ଠୋକ୍ ମନାକରିଦେଲେ । ଅନ୍ୟପଟେ ସାରା ପାଇଁ ଏହା ବହୁତ କଷ୍ଟ ଥିଲା । ତାଙ୍କ ପରିବାର ଲୋକେ ବିଲକୁଲ୍ ଶୁଣିବା ପାଇଁ ରାଜି ନଥିଲେ । କିନ୍ତୁ ସାରା ହାର୍ ମାନିନଥିଲେ । ସେ ତାଙ୍କ ପିତାଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରଖିଥିଲେ । କିନ୍ତୁ ତାଙ୍କ ପିତା ଏହି ବାହାଘର ପାଇଁ କଦାପି ରାଜି ହେଲେ ନାହିଁ ।
ଶେଷରେ ସଚିନ୍ ଏବଂ ସାରା ଦୁହେଁ କାହାକୁ ନଜଣାଇ ୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଏହି ବାହାଘରରେ ଅବଦୁଲ୍ଲା ପରିବାରର କୌଣସି ସଦସ୍ୟ ସାମିଲ ହୋଇନଥିଲେ । କିନ୍ତୁ ସଚିନ୍ ଙ୍କ ପରିବାର ଲୋକେ ସାରାଙ୍କ ସାଥ୍ ଦେଇଥିଲେ । ସମୟ ଅନୁଯାୟୀ ଦୁହିଁଙ୍କ ବିବାହକୁ ଅବଦୁଲ୍ଲା ପରିବାର ସ୍ୱୀକାର କରିଥିଲେ ।