ରାଜସ୍ଥାନ ( ଏଟିଆର ବ୍ୟୁରୋ): ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କନିଆ ଲାଲ ଟୁକୁ ଟୁକୁ ସାଧବ ବୋହୂଟେ ପରି ସଜବାଜ ହୋଇ ଅପେକ୍ଷା କରିଥାଏ ବେଦିକୁ ଯିବାକୁ । ଏହି ସମୟରେ ହଠାତ ଘର ଆଗରେ ଏକ କାର ଲାଗେ । ଆଉ ଘର ଭିତରକୁ ପସି ଆସନ୍ତି ଜଣେ ହଟାକଟା ଯୁବକ । ହାତରେ ବନ୍ଧୁ୍କକୁ ଧାରୁଆ ଅସ୍ତ୍ର । ସାଥିରେ ଥାନ୍ତି ଆଉ କିଛି ଯୁବକ । ସମସ୍ତଙ୍କ ଆଖିରେ ରାଗ ଆଉ ପ୍ରତିଶୋଧର ବହ୍ନି । ଚୁପ ଚାପ ମୋ ସହ ଗାଡିରେ ଚାଲ । ତା ନହେଲେ ତ ତେ ତ ମାରିବି ତୋ ପରିବାରରେ କାହାକୁ ରଖେଇ ଦେବିନି । ଏବେ ଆପଣ ନିଶ୍ଚିନ୍ତ ଭାବୁଥିବେ ଆମେ ଆପଣଙ୍କୁ କୋଉ ଏକ ସିନେମାର କାହାଣୀ କହୁଛୁ ବୋଲି । ଯଦି ଆପଣ ଏହା ଭାବୁଛନ୍ତି ତେବେ ଆପଣ ଭୁଲ ଅନୁମାନ କରୁଛନ୍ତି ।
ଏହା କୌଣସି ସିନେମା କି ନାଟକର କାହାଣୀ ନୁହେଁ । ବରଂ ଏକ ସତ ଘଟଣା । ଏମିତି ଏକ ଘଟଣା ଘଟିଛି ରାଜସ୍ତାନର ଝୁଝୁନୁ ଜିଲ୍ଲା ଗୁଡାଗୋଡଜୀ ଅଞ୍ଚଳରେ । ଖବର ମୁତାବକ ଗତ ରବିବାର ଏହି ଅଞ୍ଚଳରେ ଜଣେ ଯୁବତୀଙ୍କର ସାମାଜିକ ରୀତିନୀତି ଅନୁସାରେ ବିବାହ ଆୟୋଜନ ହୋଇଥାଏ । ଏହି ସମୟରେ ଜଣେ ଯୁବକ ନିଜର କିଛି ସାଥୀଙ୍କ ସହିତ ହାତରେ ମାରଣାସ୍ତ୍ର ଧରି ଯୁବତୀଙ୍କୁ ଅପହରଣ କରିବାକୁ ପସି ଆସନ୍ତି । ଯୁବତୀ ଜଣଙ୍କ ପାଟି କରିବାରୁ ଗ୍ରାମବାସୀ ମାନେ ଏକତ୍ର ହୋଇ ଯୁବକକୁ କାବୁ କରିବାକୁ ଚେଷ୍ଟା କରନ୍ତି ।
ଶେଷରେ ଏତେ ଲୋକଙ୍କ ଏକତ୍ର ରାଗ ଦେଖି ଅପହରଣ କରିବାକୁ ଆସିଥିବା ଯୁବକ ଜଣଙ୍କ କାର ଯୋଗେ ସେଠୁ ଖସି ଆସିବାକୁ ଚେଷ୍ଟା କରନ୍ତି । ମାତ୍ର ଗାଁ ମଝିରେ ଏକ କାଦୁଅ ଯାଗାରେ ଗାଡିଟି ଫସି ଯାଏ । ନିରୁପାୟ ହୋଇ ଯୁବକ ଜଣଙ୍କ ଗାଡିରୁ ଓହ୍ଲାଇ ଦୌଡିବାକୁ ଚେଷ୍ଟା କରନ୍ତି । ଏହି ସମୟରେ ଗ୍ରାମବାସୀ ମାନେ ତାକୁ କାବୁ କରି ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ । ଏନେଇ ପୋଲିସ ଖବର ପାଇ ଯୁବକ ଜଣଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ନିଜ ହେପାଜତକୁ ନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ।