ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାୟୁସେନାର ପ୍ରଥମ ରାଫେଲ ବିମାନ ଆଣିବା ପାଇଁ ଆଜି ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ସେ ଫ୍ରାନ୍ସିସ ରାଷ୍ଟ୍ରପତି ଇମେନୁଏଲ ମ୍ୟାକ୍ରୋଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ବି ରହିଛି । କେବଳ ଏତିକି ନୁହେଁ ଦଶହରାରେ ପ୍ୟାରିସ୍ ରେ ଶସ୍ତ୍ର ପୂଜା କରିବେ ରାଜନାଥ ସିଂ ।
ଯେଉଁଦିନ ବାୟୁସେନାକୁ ପ୍ରଥମ ରାଫେଲ ବିମାନ ମିଳିଯିବ ସେଦିନ ଭାରତ ପୁରା ଦଶହରା ପାଳିବ । ଏହି ଖାସ୍ ଅବସରରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସରେ ଶସ୍ତ୍ର ପୂଜା ବି କରିବେ । ପୂଜା କରିବା ପରେ ରାଫେଲ ବିମାନରେ ଉଡାଣ ଭରିବେ ରାଜନାଥ ସିଂ ।
ଶସ୍ତ୍ର ପୂଜା ହିନ୍ଦୁଧର୍ମର ଏକ ପୁରାତନ ପରମ୍ପରା , ଯେଉଁଥିରେ ଯୋଦ୍ଧା ନିଜର ଅସ୍ତ୍ର-ଶସ୍ତ୍ରକୁ ପୂଜାର୍ଚ୍ଚନା କରିଥାନ୍ତି । ଏନେଇ ରକ୍ଷା ଅଧିକାରୀ କହିଛନ୍ତି, ରାଜନାଥ ସିଂ ପ୍ରତ୍ୟେକ ବର୍ଷ ଦଶହରା ଅବସରରେ ଶସ୍ତ୍ର ପୂଜା କରିଥାନ୍ତି । ଏବେ ରକ୍ଷାମନ୍ତ୍ରୀ ହେବା ପରେ ସେ ତାଙ୍କର ଏହି ପରମ୍ପରାକୁ ବି ଜାରି ରଖିବେ ।
ଫ୍ରାନ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫ୍ରାନ୍ସ ପକ୍ଷରୁ ପ୍ରଥମ ରାଫେଲ ବିମାନ ରାଜନାଥ ସିଂଙ୍କୁ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଫ୍ରାନ୍ସିସ ରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ବି ସାମିଲ ରହିବେ ।