ମୁମ୍ବାଇ ( ଏଟିଆର ବ୍ୟୁରୋ): ବଣ ମଲ୍ଲୀ ସବୁବେଳ ବଣରେ ଫୁଟି ମଉଳି ଯାଏ । । କେହି ପାଇ ପାରନ୍ତିନି ତାର ବାସ୍ନା । ଆମ ଦେଶରେ ଏମିତି ଅନେକ ପ୍ରତିଭା ଅଛନ୍ତି ଯେଉଁମାନେ ଆର୍ଥିକ ଅନଟନ ଓ ପ୍ରୋତ୍ସାହନ ଅଭାବରୁ ବଣରେ ଫୁଟି ବଣରେ ହିଁ ଝଡି ପଡନ୍ତି । ଆଉ ଯଦି କେହି ସେହି ବଣ ମଲ୍ଲୀକୁ ଚିହ୍ନିପାରି ନିଜ ବଗିଚାରେ ସ୍ଥାନ ଦିଏ ତାର ବାସ୍ନା ଚାରି ଆଡକୁ ମହକି ଯାଏ । ସେ ନୁହଁନ୍ତି ଗୀତିକାର । କି କେବେ କାହା ଠାରୁ ଶିଖି ନାହାନ୍ତି ସଂଗୀତ । ନିଜର ପେଟର ଭୋକ ପାଇଁ ସେ ଷ୍ଟସନରେ ଗାଉଥିଲେ ଗୀତ ।
ଆଉ ଆଜି ସେଇ ଗୀତ ଆଣି ଦେଇଛି ତାଙ୍କୁ ଏକ ନୂଆ ପରିଚୟ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଏଇ ନିକଟରେ ରେଳ ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଲ । କୁହାଯାଏ ପ୍ରତିଭା ଥିଲେ ସଫଳତା ନିଶ୍ଚୟ ମିଳିବ । ଯାହାର ବାସ୍ତବ ଚିତ୍ର ରାନୁ ମଣ୍ଡଲଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଷ୍ଟେସନରେ ରାନୁଙ୍କ ଗୀତକୁ କିଛି ଶ୍ରୋତା ଶୁଣୁଥିବା ବେଳେ ଏବେ କିନ୍ତୁ ସାରା ଦୁନିଆ ଶୁଣିବ ସେହି ଦରଦୀ ସ୍ୱର ।
ପେଟର ଭୋକକୁ ମାରିବା ପାଇଁ , ଆଖିର ଲୁହକୁ ଲହୁ କରି ସେ କାଲି ଗାଉଥିଲେ ଗୀତ । ମାତ୍ର ଆଜି ବଲିଉଡର ଆଗଧାଡିର ସିନେମାରେ ଶୁଣାଯିବ ତାଙ୍କ ସ୍ୱର, ପ୍ୟାରକି ନଗମା ହେଁ ଗୀତ ଗାଇ ଶୋସାଲ ମିଡିଆରେ ଚର୍ଚ୍ଚିତ ହୋଇଥିବା ଏହି ପ୍ରତିଭାଙ୍କୁ କଣ୍ଠଶିଳ୍ପୀ ହିମେସ ରେସମିଆଁ ଏକ ନୂଆ ସିନେମାରେ ସୁଯୋଗ ଦେଇଛନ୍ତି । କେବଳ ଏତିକି ନୁହେଁ ଏକ ରିୟଲିଟି ଶୋରେ ମଧ୍ୟ ସେ ନଜର ଆସିବେ ।