ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଦିନରେ ରେପୋ ରେଟ୍ ହ୍ରାସ ହୋଇପାରେ ବୋଲି ସଂକେତ ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ବୋର୍ଡ ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି । ଏହାର ଫାଇଦା ଋଣ ନେଇଥିବା ବ୍ୟକ୍ତିଙ୍କୁ ହୋଇପାରେ । ଏହାବ୍ୟତିତ ଆଗାମୀ ଆର୍ଥିକ ବର୍ଷରେ ଜିଡିପି ଗ୍ରୋଥ ରେଟ୍ ୬ ପ୍ରତିଶତ ହେବ ବୋଲି ଅନୁମାନ ଲଗାଇଛନ୍ତି ଗଭର୍ଣ୍ଣର । ସେ କହିଛନ୍ତି ଚଳିତ ଆର୍ଥିକ ବର୍ଷର ଆର୍ଥିକ ସମୀକ୍ଷା ଆଧାରରେ ଅନୁମାନ କରାଯାଇଛି କି ଆର୍ଥିକ ସର୍ବେକ୍ଷଣ ପ୍ରକ୍ଷେପଣର ଅନୁରୂପ ।
ସବୁଠାରୁ ବଡ କଥା ହେଉଛି ଫେବୃଆରୀ ପ୍ରଥମ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ସାଧାରଣ ବଜେଟ୍ ୨୦୨୦-୨୧ ଆଗତ କରିଛନ୍ତି । ବଜେଟ୍ ଆଗତ ହେବା ପରେ ଆରବିଆଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ସହିତ ପ୍ରଥମ ଥର ବୈଠକ କରିଛନ୍ତି ନିର୍ମଳା ସୀତାରମଣ । ବୈଠକ ଶେଷ ହେବା ପରେ ଶକ୍ତିକାନ୍ତ ଦାସ ଗଣମାଧ୍ୟମ ସହ ଆଲୋଚନା କରି ଆଗାମୀ ଦିନରେ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା କଥା କହିଛନ୍ତି ।