ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମନଇଚ୍ଛା ଉଡିପାରିବନି ଡ୍ରୋନ । ଏହା ଛଡା ବିନା ପଞ୍ଜୀକରଣରେ ବେଆଇନ ଭାବେ ଡ୍ରୋନ ପାଖରେ ରଖିଲେ କିମ୍ବା ବିନାନୁମତିରେ ଡ୍ରୋନ ଉଡାଇଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ । ତେବେ ଆସ୍ତନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ରହିଥିବା ଘରୋଇ ବା ବେସାମରିକ (ସିଭିଲ) ଡ୍ରୋନଗୁଡିକୁ ପଞ୍ଜୀକରଣ କରିବା ନିମନ୍ତେ ସୁଯୋଗ ଦେଇଛନ୍ତି ।
ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ଯେ ଯେଉଁମାନଙ୍କ ପାଖରେ ଡ୍ରୋନ ରହିଛି ସେମାନେ ଭୟ କିମ୍ବା କୌଣସି ଆଶଙ୍କା ନକରି ସ୍ୱେଚ୍ଛାକୃତ ଭାବେ ଜଣାଇବାକୁ କୁହାଯାଇଛି । ନଚେତ ପରେ ଡ୍ରୋନ ଉଡାଇଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏକ ଅନଲାଇନ ଲିଙ୍କ ଜାରି କରାଯାଇଛି । ଉକ୍ତ ଲିଙ୍କ (httsps://digitalsky.dgca.gov.in) ରେ ଜାନୁଆରୀ ୧୪ଠାରୁ ୩୧ତାରିଖ ମଧ୍ୟରେ ବେଆଇନ ଡ୍ରୋନ ଓ ପରିଚାଳକଙ୍କ ସମ୍ପର୍କରେ ଜଣାଇବାକୁ କୁହାଯାଇଛି । ଏହାପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଗାଇଡଲାଇନ ଅନୁସାରେ ଆବଶ୍ୟକୀୟ ଯାଞ୍ଚ କରାଯାଇ ଡ୍ରୋନ ପଞ୍ଜୀକରଣ କରାଯିବ ।
ଏଥିସହ ହ୍ରୋନ ପରିଚଳକଙ୍କୁ ୟୁନିକ ଆଇଣ୍ଟିଫିକେଶନ ନମ୍ବର ସହ ଅନମ୍ୟାନଡ ଏୟାରକ୍ରାଫ୍ଟ ଅପରେଟର ପରମିଟ ମିଳିବ । ଏହାସହ ଆକନଲେଜମେଣ୍ଟ ନମ୍ବର ଓ ଅପରେଟର ଆକନଲେଜମେଣ୍ଟ ନମ୍ବର ମଧ୍ୟ ପ୍ରଦାନ କରାଯିବ । ଏହି ସମସ୍ତ ନିୟମ ପରେ ସିଭିଲ ଆଭିଏଶନ ରେଗୁଲେଶନ ନିୟମ ଆଧାରରେ ଡ୍ରୋନ ଉଡାଣ ପାଇଁ ଅନୁମତି ମିଳିବ । ତେବେ ଯାହାର ପାଖରେ ଡିଏଏନ ଓ ଓଏଏନରେ ଡ୍ରୋନ ନଥିବ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।