ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁଦ୍ରା ନୀତି କମିଟି (ଏମପିଏସ) ର ୩ ଦିନିଆ ବୈଠକ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧ ହାରରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ସାଧାରଣ ଲୋକଙ୍କୁ ଆରବିଆଇ ଆଶ୍ୱସ୍ତି ଦେଇଛି ଏବଂ ଋଣ ଉପରେ ସୁଧ ହାର ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛି।
ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ଏହାକୁ ୪ ପ୍ରତିଶତରେ ରଖିଛି। ଏହା ସହିତ ଆରବିଆଇ ରିଭର୍ସ ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏହା ୩.୩୫ ପ୍ରତିଶତରେ ରହିବ ।
ଏହା କ୍ରମାଗତ ୯ମ ଥର, ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାପୂର୍ବରୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମେ ୨୦୨୦ ରେ ରେପୋ ହାର ହ୍ରାସ କରିଥିଲା। ରେପୋ ହାରର ଏହି ସ୍ତର ଏପ୍ରିଲ୍ ୨୦୦୧ ଠାରୁ ସର୍ବନିମ୍ନ ସ୍ତର ଅଟେ ।