ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାସ୍କ ପିନ୍ଧାକୁ ନେଇ ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଣିକି ଆଉ ବାଧ୍ୟତାମୂଳକ ହେବନି ମାସ୍କ । ବିନା ମାସ୍କରେ ମଧ୍ୟ କଟିବନି ଫାଇନ୍ । ଏନେଇ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଘୋଷଣା କରାଯାଇଛି ।
ଡିଡିଏମଏର ସର୍କୁଲାର ଅନୁଯାୟୀ, ମୁହଁ ରେ ମାସ୍କ ନ ପିନ୍ଧିଥିଲେ ଦେବାକୁ ପଡିବନି ଜରିମାନା । ଏହାର ଅର୍ଥ ଏହା ନୁହେଁ ଯେ ଲୋକେ ବିଲକୁଲ ମାସ୍କ ପିନ୍ଧା ଛାଡିଦେବେ । କାରଣ କରୋନା ହ୍ରାସ ପାଉଛି ସତ କିନ୍ତୁ ଏଯାଁଏ ସମ୍ପୂର୍ଣ୍ଣ ଯାଇନି । ବିଦେଶରେ ଏବେ ବି କରୋନା ଭୟ ରହିଛି । ସେଥିପାଇଁ ନିଜକୁ କରୋନାଠାରୁ ବଞ୍ଚାଇବାକୁ ହେଲେ ସଚେତନ ହୋଇ ରହିବାକୁ ପଡିବ ।
ସୂଚନାଯୋଗ୍ୟ, କରୋନାଠୁ ରକ୍ଷା ପାଇବା ପାଇଁ ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କଠାରୁ ୫ ଶହ ଟଙ୍କା ଫାଇନ କଟାଯାଉଥିଲା । କିନ୍ତୁ ଏବେ କରୋନା ମାମଲା ହ୍ରାସ ହେବା ପରେ ଏହି କଟକଣାକୁ ହଟାଇ ଦିଆଯାଇଛି ।