ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମନି ଲ୍ୟାଣ୍ଡ୍ରିଂ ମାମଲାରେ ସୋମବାର ରୋବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରୁ ଗତବର୍ଷ ଜବତ କରାଯାଇଥିବା କାଗଜପତ୍ରର ହାର୍ଡ ଏବଂ ସଫ୍ଟ କପି ଜମା କରିବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଇଡିର ପଚରା ଉଚରାରେ ରୋବର୍ଟ ଭଦ୍ରାଙ୍କୁ ସାମିଲ ହେବା ପାଇଁ କୋର୍ଟ ପକ୍ଷରୁ ଆଦେଶ ଦିଆଯାଇଛି । ଅପରାହ୍ନ ୨ ବେଳକୁ ଭଦ୍ରାଙ୍କ ପିଟିସନ୍ ଉପରେ ଶୁଣାଣି ହେବ ଏହାପରେ ତାଙ୍କୁ ଇଡିର ପଚରା ଉଚରାରେ ସାମିଲ କରାଯିବ ।
ଧନ ଶୋଧନ ମାମଲାରେ ଗତବର୍ଷ ଭଦ୍ରାଙ୍କ ଘରେ ଇଡି ଛାପା ମାରିବା ସହ ସମସ୍ତ କାଗଜପତ୍ର ଜବତ କରିଥିଲା ।
ସବୁଠୁ ବଡ କଥା କଂଗ୍ରେସ ଦଳର ମହାସଚିବ ତଥା ପୂର୍ବ ଉତ୍ତର ପ୍ରଦେଶ ପାର୍ଟିର ପ୍ରଭାରୀ ପ୍ରିୟଙ୍କ ଗାନ୍ଧୀଙ୍କ ପତି ରୋବର୍ଟ ଭଦ୍ରା ବିଦେଶରେ ବହୁଳ ମାତ୍ରାର ସମ୍ପତ୍ତି ଏବଂ ରାଜସ୍ଥାନ ବିକାନେରରେ କଥିତ ଜମି ଘୋଟାଲ ମାମଲାରେ ଅଭିଯୁକ୍ତ ଅଟନ୍ତି ।
ଶନିବାର ଅଦାଲତରେ ଭଦ୍ରା କହିଥିଲେ କି ଜବତ ହୋଇଥିବା କାଗଜପତ୍ରକୁ ଆଧାର କରି ଇଡି ପଚରା ଉଚରା କରୁଛି । ସେଥିପାଇଁ ତାଙ୍କୁ ସମସ୍ତଙ୍କ ପ୍ରତି ଉପଲବ୍ଧ କରିବା ଦରକାର ।
ଏଜେନ୍ସି ପକ୍ଷରୁ ଡିସେମ୍ବର ୭,୨୦୧୮ ଦିଲ୍ଲୀରେ ଭଦ୍ରାଙ୍କ କାର୍ଯ୍ୟାଳୟରେ ଛାପା ମରାଯାଇଥିଲା । ଅଦାଲତ ପକ୍ଷରୁ କୁହାଯାଇଛି କି କାଗଜପତ୍ର ମିଳିବା ଯାଏଁ ଇଡିଙ୍କ ପଚରା ଉଚରା ଉପରେ ଦାବି କରୁଥିବା ଭଦ୍ରାଙ୍କ ପିଟିସନ୍ ଉପରେ ଅପରାହ୍ନ ୨ଟା ବେଳକୁ ବିଚାର କରାଯିବ ।
ପାଞ୍ଚଦିନ ଭିତରେ ଭଦ୍ରାଙ୍କ ସମସ୍ତ କାଗଜପତ୍ର ଉପଲବ୍ଧ କରାଇବା ପାଇଁ ଦିଲ୍ଲୀ ଅଦାଲତ ପକ୍ଷରୁ ଇଡିକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭଦ୍ରାଙ୍କ ଓକିଲ ଇଡି ଉପରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏହି ମାମଲାକୁୁ ଇଡି ବହୁତ ଶୀଘ୍ର ତନାଘନା କରାଉଛି ।