ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୌଦ୍ରିକ ନୀତି ସମୀକ୍ଷା ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଚଳିତ ବର୍ଷ ଡିସେମ୍ବର ମାସରୁ ଦେଶରେ ୨୪ ଘଣ୍ଟିଆ ଉପଲବ୍ଧ କରାଯିବ ରିୟଲ ଟାଇମ ଗ୍ରସ ସେଟଲମେଣ୍ଟ (ଆରଟିଜିଏସ) ସୁବିଧା । ଅନଲାଇନ ଫଣ୍ଡ ଟ୍ରାନ୍ସଫର ପାଇଁ ଆରଟିଜିଏସ ଏକ ପ୍ରମୁଖ ସେବା । ଏହାପୂର୍ବରୁ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି କି ସେଭିଙ୍ଗ ଆକାଉଣ୍ଟ ଧାରକଙ୍କ ପାଇଁ ଏନଇଏଫଟି ଏବଂ ଆରଟିଜିଏସ ଜରିଆରେ ହେବାକୁ ଥିବା ସମସ୍ତ ଅନଲାଇନ ପେମେଣ୍ଟ ମାଗଣା କରାଯାଉ ।
ବର୍ତ୍ତମାନ ସକାଳ ୭ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଆରଟିଜିଏସ ସେବା ଉପଲବ୍ଧ ରହିଛି । କୌଣସି ଛୁଟି ଦିନରେ ଏହି ସେବା ଉପଲବ୍ଧ ହୁଏ ନାହିଁ । କିନ୍ତୁ ଆସନ୍ତା ଡିସେମ୍ବର ମାସରୁ ଛୁଟି ଦିନରେ ବି ଏହି ସେବା ଉପଲବ୍ଧ ରହିବ । ବଡ ବଡ ଟ୍ରାଞ୍ଜାକ୍ସନ ପାଇଁ ଅନଲାଇନ ବ୍ୟାଙ୍କିଂ ଜରିଆରେ ଏହି ଆରଟିଜିଏସ ସେବା ବ୍ୟବହାର ହୋଇଥାଏ ।
ଦେଶରେ ବର୍ତ୍ତମାନ ୧.୪୦ ଲକ୍ଷ ବ୍ୟାଙ୍କ ଶାଖାରେ ଆରଟିଜିଏସ ସେବା ଉପଲବ୍ଧ ଅଛି । ଗତବର୍ଷ ଡିସେମ୍ବର ମାସରେ ଏନଇଏଫଟି ସେବାକୁ ୨୪ ଘଣ୍ଟିଆ ଉପଲବ୍ଧ କରାଯାଇଥିଲା । ଆରବିଆଇ ର ନିର୍ଦ୍ଦେଶ ପରେ ଏବେ ଏନଇଏଫଟି ଟ୍ରଞ୍ଜାକ୍ସନ ୩୬୫ ଦିନ ୨୪ ଘଣ୍ଟିଆ ହୋଇ ପାରିବ । ଏହାପୂର୍ବରୁ କେବଳ ବ୍ୟାଙ୍କିଂ ଡେରେ ସେବା ଉପଲବ୍ଦ ଥିଲା । ସେହିପରି ଆରଟିଜିଏସ ଅନୁଯାୟୀ ୨ ଲକ୍ଷ ଟଙ୍କା ବା ତାଠାରୁ ଅଧିକ ଟଙ୍କା ଅନଲାଇନ ଟ୍ରାନ୍ସଫର କରାଯାଇପାରିବ । ଏହାଦ୍ୱାରା ତୁରନ୍ତ ଫଣ୍ଡ ଟ୍ରାନ୍ସଫର ହୋଇଯାଇଥାଏ । କିନ୍ତଉ ଏନଇଏଫଟି ଜରିଆରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ କୌଣସି ନ୍ୟୁନତମ ସୀମା ନିର୍ଦ୍ଧାରିତ କରାଯାଇନାହିଁ । ଏଥିପାଇଁ ଫଣ୍ଡ ଟ୍ରାନ୍ସଫର କରିବା ପାଇଁ ଏକ ଘଣ୍ଟା ସମୟ ଲାଗିଥାଏ ।