ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମଲା ପରେ ପ୍ରତ୍ୟେକ ଦେଶ ପାକିସ୍ତାନ ଆତଙ୍କୀକୁ ନିନ୍ଦା କରିବା ସହିତ ଭାରତ ସପକ୍ଷରେ ଛିଡା ହୋଇଛି । ଇତି ମଧ୍ୟରେ ଗୁରୁବାର ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁତିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଏହି ଆତଙ୍କବାଦୀ ହମଲାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆତଙ୍କବାଦୀ ବିରୋଧରେ ଲଢେଇ କରିବାରେ ସେ ଭାରତ ସହ ଅଛନ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ସୀମା ପାର୍ ହୋଇ ଆତଙ୍କବାଦୀ ହମଲାକୁ ନେଇ ମୋଦି ନିଜର ଯବାନଙ୍କ ସୁରକ୍ଷିତ ପାଇଁ ଭାରତର ପ୍ରୟାସ ପ୍ରତି ସମର୍ଥନ ଜଣାଇବା ପାଇଁ ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଟେଲିଫୋନ ଯୋଗେ ହୋଇଥିବା ବାର୍ତ୍ତାଳାପ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦୀଙ୍କ ସହ ଡିଲ୍ କରିବାରେ ଦ୍ୱିପାଖିକ ସହଯୋଗକୁ ମଜବୁତ କରିବାରେ ଭାରତର ପ୍ରତିଶ୍ରୁତିକୁ ଦୋହରାଇଛନ୍ତି । ପୁତିନ ଚଳିତ ବର୍ଷ ବ୍ଲାଦିବୋସ୍ତୋକରେ ହେବାକୁ ଥିବା ‘ଇଷ୍ଟର୍ନ ଇକୋନମିକ ଫୋରମ’ ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଖବରମୁତାବକ, ଗତ ଫେବ୍ରୁଆରୀ ୧୪ ଭାରତ ପାଇଁ ଏକ କଳା ଦିବସ ଥିଲା । ପୁଲୱାମାରେ ସିଆରପିଏଫ୍ ଯବାନଙ୍କ କାଫିଲା ଉପରେ ଆତଙ୍କବାନୀ ହମଲା ହୋଇଥିଲା । ଏଥିରେ ୪୦ ଯବାନ ସହୀଦ ହେବା ସହ ଅନେକ ଗୁରୁତର ମଧ୍ୟ ହୋଇଥିଲେ । ଏହାପରେ ଭାରତରେ କ୍ରୋଧର ନିଆଁ ଜଳିଥିଲା ।