ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ କ୍ରୀଡା କମିଟିରୁ ବାଦ ପଡିଲେ କିମ୍ବଦନ୍ତୀ କ୍ରିକେଟର ସଚିନ ରମେଶ ତେନ୍ଦୁଲକର ଏବଂ ଚେସ ଜଗତର ବାଦଶାହା ଭାବେ ବେଶ ପରିଚିତ ବିଶ୍ୱନାଥ ଆନନ୍ଦ । ଏହି ଦୁଇ ଜଣଙ୍କ ମୋଦି ସରକାରଙ୍କ କ୍ରୀଡା କମିଟିରୁ ବାଦ ଦିଆଯାଇଛି । ମୋଦି ସରକାରଙ୍କ ଅଲ୍ ଇଣ୍ଡିଆ କାଉନସିଲ ଅଫ ସ୍ପୋର୍ଟସ ୨୦୧୫ ଡିସେମ୍ବରରେ ଗଠିତ ହୋଇଥିଲା । ଏହି କମିଟିକୁ ଦେଶରେ କ୍ରୀଡାର ବିକାଶ ନିମନ୍ତେ ଗଠନ କରାଯାଇଥିଲା ଓ କମିଟିରେ ଏହି ଦୁଇ ମାହାନ ଖେଳାଳୀଙ୍କୁ ସାମିଲ କରାଯାଇଥିଲା ।
କମିଟିର ପ୍ରଥମ କାର୍ୟ୍ୟାଳୟରେ ଅର୍ଥାତ ୨୦୧୫ରୁ ମେ ୨୦୧୯ ମଧ୍ୟରେ ରାଜ୍ୟସଭା ସାଂସଦ ଭାବେ ସଚିନ ତେନ୍ଦୁଲକରଙ୍କୁ ଓ ଆନନ୍ଦଙ୍କୁ ଜଣେ ଖେଳାଳି ଭାବରେ ସାମିଲ୍ କରାଯାଇଥିଲା। କିନ୍ତୁ ଏବେ ଏହି କ୍ରୀଡା କମିଟିର ସଦସ୍ୟ ସଂଖ୍ୟା ୨୭ରୁ କମି ୧୮ ହୋଇଛି । ଏହି କମିଟିରୁ ସଚିନ ଏବଂ ଆନନ୍ଦଙ୍କ ବ୍ୟତୀତ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପିଚାନ୍ଦ ଏବଂ ପୂର୍ବତନ ଫୁଟବଲ କ୍ୟାପଟେନ ବାଇଚୁଙ୍ଗ ଭୁତିଆ ମଧ୍ୟ ବାଦ ପଡିଛନ୍ତି । ତେବେ ନୂତନ ସଦସ୍ୟ ଭାବେ କ୍ରିକେଟର ହରଭଜନ ସିଂହ, କେ. ଶ୍ରୀକାନ୍ତ, ପିଟି ଉଷା, ବଛେନ୍ଦ୍ରୀ ପାଲ, ପାର ଅଲିମ୍ପିକ ଦୀପା ମଲିକ, ଶୁଟର ଅଞ୍ଜଳି ଭାଗବତ, ରେନେଡି ସିଂହ ଏବଂ ଯୋଗେଶ୍ୱର ଦତ୍ତଙ୍କୁ ସ୍ଥାନ ମିଳିଛି। ଏହି କମିଟିକୁ ୨୦୧୫ ଡିସେମ୍ବରରେ ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ ତଥା ବର୍ତ୍ତମାନର ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଗଠନ କରିଥିଲେ ।