ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଯୌନ କେଳେଙ୍କାରୀ ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ଆତ୍ମ ଘୋଷିତ ଆଶାରାମ ବାପୁଙ୍କ ଏକ ମାମଲାରେ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ । ଜାମିନ ଆବେଦନର ଶୁଣାଣୀ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ମାମଲାରେ ଆହୁରି ୨୧୦ ଜଣଙ୍କ ସାକ୍ଷୀ ଗ୍ରହଣ କରିବା ବାକି ରହିଛି । ତଳ କୋର୍ଟରେ ଏହି ମାମଲାର ଟ୍ରାଏଲ କରାଯାଉଛି ।
ସୂଚନାଯୋଗ୍ୟ ସୁରଟରେ ଦୁଇ ଭଉଣୀ ପ୍ରଥମେ ଆଶରାମ ଏବଂ ତାଙ୍କ ପୁଅ ନାରାୟଣ ସାଇଙ୍କ ନାମରେ ଦୂଷ୍କର୍ମ ଏବଂ ବନ୍ଦୀ ରଖିବାର ଅଭିଯୋଗ ଆଣିଥିଲେ । ପୂର୍ବରୁ ଆଶାରାମ ଆଜୀବନ କାରାଦଣ୍ଡ ଉପରେ ରୋକ ଲଗାଇବା ପାଇଁ ୨୬ ମାର୍ଚ୍ଚ ୨୦୧୯ ରେ ଜାମିନ ଆବେଦନ କରିଥିଲେ । ଯାହାକୁ ଆଜି ଅଦାଲତ ଖାରଜ କରିଛନ୍ତି । ଆଶାରାମଙ୍କ ନାମରେ ହତ୍ୟା ଓ ଦୁଷ୍କର୍ମ ଭଳି ସଂଗିନ ଅଭିଯୋଗ ରହିଛି ।
ସୂଚନାଯୋଗ୍ୟ ୨୦୧୩ ମସିଆରେ ରାଜସ୍ଥାନରେ ଜଣେ ୧୬ ବର୍ଷୀୟ ନବାଳିକାକୁ ଦୂଷ୍କର୍ମ କରିଥିବା ଅଭିଯୋଗରେ ଅଦାଲତ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲା । ଆଶାରାମଙ୍କ ସମେତ ତାଙ୍କର ୪ଜଣ ସହଯୋଗୀଙ୍କ ନାମରେ ଅଭିଯୋଗ ଦାଖଲ ହୋଇଥିଲା । ଗତ ମାସରେ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଥିଲା ।