ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଫାଶୀ ପାଇଁ କୋର୍ଟ ରାୟ ଦେଇଛନ୍ତି । ତେବେ ଏହି ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଇବା ପାଇଁ ୨ ଅଭିଯୁକ୍ତ କୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି । ତେବେ ଏହି ପିଟିସନର ଶୁଣାଣୀ ଆସନ୍ତା ୧୪ ତାରିଖରେ କରିବେ ବୋଲି କୋର୍ଟ ସୂଚନା ଦେଇଛି । ଏହି ପଟିସନ ମୃତ୍ୟୁ ଦଣ୍ଡରୁ ବଞ୍ଚିତ ହେବା ପାଇଁ ଶେଷ ପ୍ରଚେଷ୍ଟା । ଯଦି ଅଦାଲତ ଏହି ପିଟିସନକୁ ଖାରଜ କରି ଦିଅନ୍ତି ତେବେ ଆସନ୍ତା ୨୨ ତାରିଖରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଯିବ ।
ଅଭିଯୁକ୍ତ ବିନୟ ଶର୍ମା ଏବଂ ମୁକେଶ ପ୍ରୟାସ କରିଛନ୍ତି । ଜଷ୍ଟିସ ଏନଭି ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ପିଟିସନର ରିଭ୍ୟୁ କରିବେ । ସୂଚନାଯୋଗ୍ୟ ୨୦୧୨ ମସିହାରେ ଦିଲ୍ଲୀରେ ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ବସରେ ୬ ଜଣ ମିଶି ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠା ଯାଇଥିବା ବେଳେ ଆଉ ଜଣଙ୍କର ଜେଲରେ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ।