ଭୋପାଳ (ଏଟିଆର ବ୍ୟୁରୋ): ଗତକାଲି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ରାଜାଭୋଜ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଯୁବକ ଜଣକ ବିମାନ ବନ୍ଦରର ହ୍ୟାଙ୍ଗରରେ ଛିଡା ହୋଇଥିବା ଏକ ହେଲିକପ୍ଟରକୁ ବଡ କ୍ଷତି ପହଞ୍ଚାଇଛି । ହେଲିକପ୍ଟରକୁ ଯୁବକ ଜଣକ ପଥରମାଡ କରି ବ୍ୟାପକ କ୍ଷତି ପହଞ୍ଚାଇଛି । ସିଆଇଏସଏଫ ଯବାନମାନେ ସଂପୃକ୍ତ ଯୁବକକୁ ଧରିବା ପାଇଁ ଦୌଡିଥିଲେ । ହେଲେ ସଂପୃକ୍ତ ଯୁବକ ଜଣକ ରନୱେ ଆଡକୁ ଦୌଡି ପଳାଇଥିଲା ।
ସେହି ସମୟରେ ଯୁବକ ଜଣକ ରନୱେରେ ସ୍ପାଇସଜେଟର ଏକ ବିମାନ ଆଗରେ ପହଞ୍ଚିବାରୁ କେଉଁଆଡେ ଯାଇପାରିନଥିଲା । ଯାହାଫଳରେ ସିଆରଏସଏଫ ଯବାନମାନେ ଧରିଥିଲେ । ଯୁବକ ଜଣଙ୍କ ଧରାପଡିବା ପରେ ତାକୁ ପଚାରାଉଚରା କରିବା ସମୟରେ ସେ ମାନସିକ ଭାରସାମ୍ୟ ହରାଇଥିବା ଜଣାପଡୁଥିଲା ବୋଲି ଡିଆଇଜି ଇରଶାଦ ୱଲୀ କହିଛନ୍ତି । ତେବେ ଯୁବକ ଜଣଙ୍କ ଯୋଗେଶ ତ୍ରିପାଠୀ ହୋଇଥିବା ବେଳେ ସେ ଭୋପାଳର ୧୦୦୦ କ୍ୱାଟର ନିବାସୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ସେ କାହିଁକି ହେଲିକପ୍ଟର ଉପରକୁ ପଥରମାଡ କରିଥିଲେ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।