ନୂଆଦିଲ୍ଲୀ ( ଏଟିଆର ବ୍ୟ୍ୟୁରୋ) : ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିବା ଯୋଡା ମୁଣ୍ଡ ଶିଶୁ ଜଗା କାଳିଆ ଆଜି ଓଡିଶା ଫେରିବେ । ଗତକାଲି କଟକ ଏସିବିରୁ ଦୁଇ ଜଣିଆ ଡାକ୍ତରୀ ଦଳ ଏମସ ଗସ୍ତ କରିଛନ୍ତି । ଦିଲ୍ଲୀ ଏମସରେ ଜଗା କାଳିଆଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର ମାନଙ୍କ ସହିତ ଆଲୋଚନା ପରେ କଟକ ଫେରିବେ ଜଗା କାଳିଆ । ଆଜି ଏମସ ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନୀରେ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦିଆଯିବା ପରେ ସେମାନଙ୍କୁ ଡିସଚାର୍ଜ କରାଯିବ ।
ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପରେ ଦିନ ୩ଟାରେ ଜଗାବଳିଆଙ୍କୁ ଧରି ଏମ୍ସ ଓ ଏସ୍ସିବିର ଡାକ୍ତରୀ ଟିମ୍ ସିଧାସଳଖ ନୂଆଦିଲ୍ଲୀ ରେଳ ଷ୍ଟେସନ ପହଞ୍ଚିବେ ଏବଂ ସେଠାରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଅଭିମୁଖେ ଯାତ୍ରା କରିବେ। ଏସସିବି ମେଡିକାଲର ୨ ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ ଆସିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି ।ଗତକାଲି ଏମସର ଦୁଇଜଣ ଡାକ୍ତର ଜଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ପୂର୍ବରୁ ଏସସିବିରେ ଏହି ଯୋଡା ମୁଣ୍ଡ ଶିଶୁ ରହି ସାରିଛନ୍ତି ।
ଏହି ଦୁଇ ଭାଇଙ୍କୁ ଓଡିଶା ପଠାଯିବା ପୂର୍ବରୁ ଦୁଇ ଜଣଙ୍କର ଟିକିନିଖି ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ଡିସଚାର୍ଜ କରାଯିବ ବୋଲି ଜଣା ପଡିଛି । ଜଗା ବଳିଆଙ୍କ ବାପା ମା ଓଡିଶା ଫେରି ଆସିବାକୁ ଇଚ୍ଛା ପ୍ରକାଶ କରୁଥିବାରୁ ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୨୦୧୭ ଜୁଲାଇ ମାସ ଠାରୁ ଏହି ଦୁଇ ଭାଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ସରକାରୀ କ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।