(ଏଟିଆର ବ୍ୟୁରୋ): ମଣିଷର ମୃତ୍ୟୁ ହେବା ମାତ୍ରେ ତାର ଶବକୁ ସତ୍କାର କରିଦିଆଯାଏ । କିନ୍ତୁ ଏବେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଜ୍ଞା ହଁ ଏକ ବନ୍ଦ କୋଠରୀରୁ ସାତ ମାସ ପୁରୁଣା ଶବ ଉଦ୍ଧାର କରାଯାଇଛି । ଘଟଣାଟି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ନଜରକୁ ଆସିଛି ।
ଭୋପାଳର ବିଦ୍ୟାନଗର ସେକ୍ଟର-ସି ସ୍ଥିତ ବିଡିଓ କମ୍ପେ୍ଲକ୍ସ ଫ୍ଲାଟରେ ଥିବା ଏକ କୋଠରୀରୁ ମହିଳାଙ୍କ ଶବକୁ ପୋଲିସ ଉଦ୍ଧାର କରିଛି । ଶବକୁ କପଡାରେ ଗୁଡାଇ ରଖା ଯାଇଥିଲା ବୋଲି କୁହାଯାଉଛି । ମୃତ ମହିଳାଙ୍କ ନାଁ ବିମଳା ବୋଲି ଜାଣିବାକୁ ମିଳିଛି ।
ଏହି ମାମଲାରେ ଏସଡିପିଓ ଅଗ୍ରୱାଲ କହିଛନ୍ତି କି, ଶବ ଟି ବିମଳାଙ୍କର । ବିମଳା ସଡକ ପରିବହନ ନିଗମରେ କ୍ଲର୍କ ରହିସାରିଛନ୍ତି । ତାଙ୍କ ପତିଙ୍କ ନାମ ବୃଜମୋହନ ଶ୍ରୀବାସ୍ତବ ।
ମୃତ ମହିଳାଙ୍କ ପଡୋଶୀଙ୍କ କହିବାନୁଯାୟୀ ବିମଳାଙ୍କ ସହିତ ତାଙ୍କର ୩୧ ବର୍ଷିୟ ପୁଅ ଅମିତ ଶ୍ରୀବାସ୍ତବ ମଧ୍ୟ ରହୁଥିଲେ । କିନ୍ତୁ ଛଅ ରୁ ସାତ ମାସ ହେବ ଅମିତ କୁଆଡେ ଗାୟବ ଅଛନ୍ତି । ଏହି ଶବ ବି ୬, ୭ ମାସର ବୋଲି ଅନୁମାନ କରାଯାଉଛି ।
ଗତ କିଛି ମାସ ହେବ ବିମଳାଙ୍କ ବିଷୟରେ କୌଣସି ଅତା ପତା ନଥିଲା । ମାତ୍ର ରବିବାର ଦିନ ଫ୍ଲାଟର ମାଲିକ ଦୁଇ ଜଣ ଶ୍ରମିକଙ୍କୁ ନେଇ କାମ କରିବା ପାଇଁ ଫ୍ଲାଟରେ ପହଁଚି ଥିଲେ । ଯେତେବେଳେ ଫ୍ଲାଟର ତାଲା ସେ ଖୋଲିଲେ ସେତେବେଳେ ଘର ଭିତର ଦୁର୍ଗନ୍ଧରେ ଫାଟିପଡୁଥିଲା । ତାପରେ ତାଙ୍କ ନଜର ହଲ୍ ରେ ଥିବା ଆଲମିରା ଉପରେ ପଡିଥିଲା । ଯେତେବେଳେ ସେ ଆଲମିରା ଖୋଲିଛନ୍ତି ସେଥିରେ କିଛି କପଡା ସହ ରେଜେଇରେ ଗୁଡାଇ ହୋଇଥିବା ଶବ ବାହାରିଥିଲା । ଏହାକୁ ଦେଖିବା ପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ପୋଲିସ ପହଁଚି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।